ରଘୁନାଥପୁର, ୧୪/୦୨/୨୦୨୧ (ଓଡ଼ିଶା ସମାଚାର)- ସାଦେଇପୁର ପଂଚାୟତର ଜଗନ୍ନାଥପୁର ରେଢୁଆ କଲେଡ ନିକଟସ୍ଥ ଆଦିବାସୀ ସାହିରେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପହଂଚି ସେମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ସେମାନେ ଆଜକୁ ଦୀର୍ଘ ବର୍ଷ ଧରି ପାଇଥିବା ଇନ୍ଦିରା ଆବାସ ଗୃହ ନିର୍ମାଣ କାର୍ଯ୍ୟ କିଭଳି କରିବେ ସେଥିପାଇଁ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଆଦିବାସୀ ବସ୍ତିରେ ପାନୀୟ ଜଳର ସୁବିଧା ତୁରନ୍ତ କରିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଥିଲେ । ଏଥିସହିତ ରାଜ୍ୟ ସରକାରଙ୍କର ସମସ୍ତ ଜନକଲ୍ୟାଣ ଯୋଜନାରେ କିଭଳି ଆଦିବାସୀ ଲୋକମାନେ ଉପକୃତ ହେବେ ସେଥିପ୍ରତି ଦୃଷ୍ଠିଦେବାକୁ ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହାପରେ ବିଧାୟକ ଶ୍ରୀ ଦାସ ରେଢୁଆ ବୃନ୍ଦାବନ ଚନ୍ଦ୍ର କଲେଜରେ ପହଂଚି ଶିକ୍ଷାଦାନ କିଭଳି ଚାଲିଛି କଲେଜର ଅଧ୍ୟକ୍ଷ ଙ୍କୁ ପଚାରି ବୁଝିବା ସହିତ ଏହି କଲେଜକୁ ଆସିଥିବା ଅନୁଦାନରେ କିଭଳି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଯିବ ସେଥିପାଇଁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହା ସହ ବିଧାୟକ ଶ୍ରୀ ଦାସ କଲେଜର ବିଭିନ୍ନ ବିଭାଗ ବୁଲି ଦେଖିବା ସହିତ ଶିକ୍ଷାଦାନକୁ ଗୁରୁତ୍ୱ ଦେବାକୁ କଲେଜ ଅଧ୍ୟକ୍ଷକଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ବିଧାୟକ କୃର୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ କଲେଜ ଓ ସରସ୍ୱତୀ ମହିଳା ସଂସ୍କୃତ ମହାବିଦ୍ୟାଳୟରେ ପହଂଚି ଏହି ଦୁଇଟି କଲେଜର ସମସ୍ୟା ଓ ଶିକ୍ଷାଦାନ ସଂପର୍କରେ ଦୁଇ କଲେଜ ଅଧ୍ୟକ୍ଷକଙ୍କ ସହିତ ଆଲୋଚନା କରି କଲେଜର ସମସ୍ତ ବିଭାଗ ବୁଲି ଦେଖିଥିଲେ । ତାଙ୍କ ସହିତ ରାଜ୍ୟ ଦଳିତ ସେଲ ସଂପାଦକ ଆଇନଜିବୀ ନିରଞ୍ଜନ ସେଠୀ, ଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ, ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ବିଜେଡି କୃଷକ ନେତା ଅନ୍ତର୍ଯ୍ୟାମୀ ରାଉତ, ତାରପୁର ସରପଂଚ ସରୋଜ କୁମାର ଦାସ, ଅଢେଇକୂଳ ସରପଂଚ ଶେଷଦେବ ସେଠୀ ବିଜେଡି ନେତା ଶ୍ରୀନିବାସ ନାୟକ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର