ଦୁବାଇ / ଭୁବନେଶ୍ୱର, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- ୟୁନାଇଟେଡ୍ ଆରବ ଏମିରେଟ୍ସ ର ଓଡ଼ିଶା ସମାଜ ଏବଂ ଦୁବାଇସ୍ଥିତ ଭାରତୀୟ କନସୁଲେଟ୍ ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାଯାଇଛି । ଓଡ଼ିଶା ସମାଜର କର୍ମକର୍ତା, ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଲତିଫା ହସପିଟାଲଠାରେ ଆୟୋଜିତ ଏହି ଶିବିରରେ ଖୁବ୍ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ବେଶ୍ ଉଦ୍ଧୀପନାର ସହିତ ଅଂଶଗ୍ରହଣ କରିଥିବା ଦେଖାଯାଇଥିଲା । ପ୍ରବାସୀ ଓଡ଼ିଆମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବାର ଦୃଶ୍ୟ ବେଶ୍ ଅନନ୍ୟ ଥିଲା । ଏହି ଶିବିରକୁ ସଂପ୍ରଦାୟ ବ୍ୟାପାର ଓ ଭିସା ଦାୟିତ୍ୱରେ ଥିବା କନସଲ ଉତମ ଚାନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀ ଚାନ୍ଦ ତାଙ୍କର ଉଦ୍ଘାଟନୀ ଭାଷଣରେ ୟୁ.ଏ.ଇ ଓଡ଼ିଶା ସମାଜର ଏହି ମାନବସେବା ପ୍ରୟାସକୁ ଭବ୍ୟ ସ୍ୱାଗତ ଜଣାଇବା ସାଙ୍ଗକୁ ଏହାର ଭୂରୀଭୂରୀ ପ୍ରଶଂସା କରିଥିଲେ । ରକ୍ତଦାନକୁ ଏକ ମହତ ଦାନ ବୋଲି ଦର୍ଶାଇ ଶ୍ରୀ ଚାନ୍ଦ, ଯେଉଁମାନେ ରକ୍ତଦାନ କରିଛନ୍ତି, ସେମାନେ ଆମର ସମାଜ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ବୋଲି ଉଲ୍ଲେଖ କରିଥିଲେ । ପ୍ରତ୍ୟେକ ରକ୍ତଦାନକାରୀମାନଙ୍କୁ ପୂର୍ବରୁ ଆବଶ୍ୟକୀୟ ସୁସ୍ଥତା ମାନଦଣ୍ଡ ନେଇ ଡାକ୍ତରୀ ପରୀକ୍ଷା ନୀରିକ୍ଷା କରାଯାଇଥିଲା ।
ଲତିଫା ହସପିଟାଲର ରକ୍ତଦାନ ସ୍ଥଳରେ କୋଭିଡ୍ କଟକଣାକୁ ଶକ୍ତ ଭାବେ ପାଳନ କରାଯାଇଥିଲା । ସମଗ୍ର ଆୟୋଜନକୁ ସୁପରିଚାଳନା କରିବାରେ ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର ଓ ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ର ରକ୍ତଦାନ କରିଥିବାବେଳେ ଶ୍ରୀ ଦାଶ ପ୍ଲେଟ ଲେଟ୍ ଦାନ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।ଓଡ଼ିଶା ସମାଚାର