ଭୁବନେଶ୍ୱର, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ପ୍ରତିଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର, ଖୋର୍ଦ୍ଧା ଓ ରେଡିଓ କ୍ଲବ୍ ଓଡିଶା ମିଳିତ ଆନୁକୂଲ୍ୟରେ ସିଫା ଅଡିଟୋରିୟମ ରେ ଆଜି ‘୧୦ମ ବିଶ୍ୱ ରେଡିଓ ଦିବସ ୨୦୨୧’ ପାଳନ କରାଯାଇଛି । ୧୨୦ ବର୍ଷ ଧରି ଲୋକଙ୍କ ସେବା କରିଆସୁଥିବା ରେଡିଓ, ବନ୍ୟାବାତ୍ୟା ହେଉକି ଯୁଦ୍ଧ ବା ମହାମାରୀ ହେଉ ସବୁସମୟରେଏବଂ ଦୁର୍ଗମ ଅଂଚଳରେ ଲୋକଙ୍କୁ ପ୍ରଥମେ ସୂଚନା ଦେଇଥାଏ ବୋଲି ଏହି ସମାବେଶରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
ରେଡିଓ କ୍ଲବ୍ ଅଫ୍ ଅଡ଼ିଶା ପକ୍ଷରୁ ଆୟୋଜିତ ଏହି ଜାତୀୟ କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଉଦଘାଟନ କରିଥିଲେ ।ଏହି ଅବସରରେ ସେ ରେଡିଓକୁ ନେଇ ନିଜର ସ୍ମୃତିଚାରଣ କରିଥିଲେ ।ଶ୍ରୀସାହୁ କହିଲେ ଯେ ଏବେବି ମୋ ପାଖରେ ମୋ ପତ୍ନୀ ଯୌତୁକରେ ଆଣିଥିବା ବୁଶ୍ କଂପାନୀ ରେଡିଓ ଅଛି । ପତ୍ନୀ ଚାଲିଗଲେଣି କିନ୍ତୁ ରେଡିଓ ଅଛି । ଦିନଥିଲା ଏହା ଧନୀ ଏବଂ ଗରିବଙ୍କର ମନୋରଂଜନର ଏକମାତ୍ର ଉତ୍ସ ଥିଲା । ରେଡିଓ କ୍ଲବ୍ ର ସଂପାଦକ ପି. କେ. ଦତ ରେଡିଓ କ୍ଲବ୍ ର କାର୍ଯ୍ୟାବଳୀ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ । ଜାମ୍ମୁ-କାଶ୍ମୀରରୁ ଆସିଥିବା ରୋଡିଓ-ଶ୍ରଦ୍ଧା ର ନିର୍ଦ୍ଧେଶକ ଡଃ ରମେଶ ହଙ୍ଗ୍ଲୁ ଭାରତୀୟ ବିବିଧ ସଂସ୍କୃତିକୁ ପ୍ରଚାର ସମୃଦ୍ଧି କରାଇବାରେ ରେଡିଓର ପ୍ରମୁଖ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ ।ରାଜସ୍ଥାନରୁ ଆସିଥିବା ରେଡିଓ ଜନବାଣୀର ସଚିବ ଡଃ ଡି. ପି. ସିଂହ ଲୋକଙ୍କ ସହ ଯୋଡିହୋଇ କାମକରିବା ଦିଗରେ ଗୋଷ୍ଠୀ ରୋଡିଓ ର ତାତ୍ପର୍ଯ୍ୟ ସୂଚିତ କରାଇଥିଲେ । ବିଭିନ୍ନ ରାଜ୍ୟରୁ ଆସିଥିବା ରେଡିଓ କ୍ଲବ୍ ର ସଦସ୍ୟମାନଙ୍କୁ ସିଫା ମତ୍ସ୍ୟ ପୋଷଣ ଓ କ୍ରିୟାତତ୍ୱ ବିଭାଗର ମୁଖ୍ୟ ତଥା ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଏସ୍. ଏସ୍. ଗିରି ଉଦବୋଧନ ଦେଇଥିଲେ ।ଉପସ୍ଥିତ ରେଡିଓ ପ୍ରେମୀମାନଙ୍କୁ ଉଦବୋଧନ ଦେଇ ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ କୃଷି ଓ କୃଷକ ପାଇଁ ରେଡିଓ ଏକ ମୂଲ୍ୟବାନ ଉପାଦାନ ଓ ଆଜିବି ଗ୍ରାମାଂଚଳରେ ଗୋଷ୍ଠୀ ରେଡିଓର ଚାହିଦା ରହିଛି ବୋଲି ପ୍ରକାଶ କରିବାସହ ସିଫା ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୈଷୟିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ରେଡିଓ ଫର୍ ପିପୁଲ୍ ନାମକ ଏକ ସ୍ମରଣୀକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ୪ ଗୋଟି ବୈଷୟିକ ପର୍ଯ୍ୟାୟ କ୍ରମରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମର କୃଷି, ସ୍ୱାସ୍ଥ୍ୟ, ସାମାଜିକ ନିରାପତା ଓ ବିପର୍ଯୟ ପରିଚାଳନା ପାଇଁ ରେଡିଓର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ସିଫା ଓ ଆକାଶବାଣୀ କଟକର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରେଡିଓ ଶ୍ରଦ୍ଧା ଓ ଆକଶବାଣୀ ସମ୍ବଲପୁରର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।ତୃତୀୟ ପର୍ଯ୍ୟାୟରେ କିଟ୍ ଏବଂ ଓଡିଶା ହାଇକୋର୍ଟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।ଚତୁର୍ଥ ପର୍ଯ୍ୟାୟରେ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଅନିଲ୍ କୁମାର କର; ଡଃ ଡି. ପି. ସିଂହ; ଭାରତୀୟ ପାଣିପାଗ ବିଭାଗର ପୂର୍ବତନ ନର୍ଦ୍ଧେଶକ ଡଃ ଶରତ ସାହୁ ଓ ରେଡିଓ ଚକୋଲେଟ୍, ବିଗ୍ ଏଫ୍ ଏମ୍, ରେଡ୍ ଏଫ୍ ଏମ୍ ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଉଦଯାପନୀ ସମାରୋହ ରାଜସ୍ଥାନସ୍ଥିତ ରେଡିଓ ମଧୁବନର ମୁଖ୍ୟ ଶ୍ରୀ ଯଶୋବନ୍ତ ପାଟିଲ୍ ଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ।ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍ର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସୌମ୍ୟରଂଜନ ପଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଲୋକମାନଙ୍କ ଜ୍ଞାନ ଓ ଭାବର ଆଦାନପ୍ରଦାନ ନିମନ୍ତେ ରେଡିଓ ଏକ ଅପରିହାର୍ଯ୍ୟ ମାଧ୍ୟମ ଓ ଗୋଷ୍ଠୀ ରେଡିଓର ପ୍ରସାର ପାଇଁ ସରକାର ଯୋଜନା ଓ ନୀତି ନିର୍ଦ୍ଧାରଣ କରିବାଲାଗି ଅହ୍ୱାନ କରିଥିଲେ ।ଏହି ଅବସରରେ ସେ କହିଥିଲେ ଯେ, ପ୍ରତିକୂଳ ପରିସ୍ଥିତିସତ୍ୱେ ରେଡିଓ ହାରି ନାହିଁ ।ରେଡିଓ ଏବେ ନୂଆ ରୂପରେ ଯଥା ରେଡିଓ ଆପ୍ ଓ ୱେବ୍ ରେଡିଓ ରୂପରେ ଲୋକମାନଙ୍କର ଆଦରଣୀୟ ହୋଇପାରୁଛି । ୮ଗୋଟି ରାଜ୍ୟରୁ ପ୍ରାୟ ୧୨୦ ଜଣ ରେଡିଓ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।ରେଡିଓ କ୍ଲବ୍ ଅଫ୍ ଓଡିଶାର ଝୁନା କୁମାରୀ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର