କେନ୍ଦ୍ରାପଡ଼ା, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର କାକଟ ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସଟି ଚଢାଉ କରାଯାଇଥିବା ସୂଚନା ମିଳିଛି । ଭାରତ ସରକାରଙ୍କ ବିତ ମନ୍ତ୍ରଣାଳୟର ଅଧିକାରୀମାନେ ୩ଟି ଗାଡିରେ ଆସି ଏହି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲେ । ଏହି ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ବ୍ୟବସାୟୀ ଜଣକ କୋଟି କୋଟି ଟଙ୍କା ଜିଏସଟି ଫାଙ୍କି ଆସୁଥିବାର ସୂଚନା ମିଳିଛି । ବ୍ୟବସାୟୀ ଜଣକ ଚକତା କରି ବ୍ୟବସାୟ ପ୍ରତିଷ୍ଠାନର ନାମ ବାରମ୍ବାର ବଦଳାଇଥିବା ମଧ୍ୟ ସୂଚନା ମିଳିଛି । ପୁରାତନ ଫାର୍ମର ନାମ ବଦଳାଇ ଟିକସ ଫାଙ୍କିବା ପାଇଁ ସେ ଉଦ୍ୟମ କରୁଥିଲେ । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ବି ମନ୍ତ୍ରଣାଳୟର ଅଧିକାରୀମାନେ ସେହି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ବିଭିନ୍ନ ପ୍ରକାର ବ୍ୟବସାୟୀକ କାଗଜପତ୍ର ଓ କମ୍ପୁ୍ୟଟର ହାଡଡିସ୍କ ପ୍ରଭୃତି ଜବତ କରି ଭୂବନେଶ୍ୱର ଅଫିସକୁ ନେଇଯାଇଥିବା ସୂଚନା ମିଳିଛି । ଏହି ଚଢାଉକୁ ନେଇ ସହରର ଅନ୍ୟ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିବା ଦେଖାଯାଇଛି । ହେଲେ ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀମାନେ କୌଣସି ତଥ୍ୟ ଗଣମାଧ୍ୟମକୁ ଦେବାକୁ ମନା କରି ଅଧିକାରୀମାନେ ଏଡାଇ ଯାଇଥିଲେ । ଓଡ଼ିଶା ସମାଚାର