କେନ୍ଦ୍ରାପଡା,୧୩/୦୨/୨୦୨୧ (ଓଡ଼ିଶା ସମାଚାର)-ଡେରାବିଶି ବ୍ଲକର କୁରୁଜଙ୍ଗା ପଂଚାୟତର ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବ ବଢି ଚାଲିଛି । ପ୍ରତିଗ୍ରାମରେ ପଲ ପଲ ମାଙ୍କଡ ଏବଂ ମାଳମାଳ ଷଣ୍ଢ ଚାଷୀମାନଙ୍କ ଫସଲ ଖାଇ ନଷ୍ଟ କରୁଛନ୍ତି । ଫଳରେ ଚାଷୀମାନେ ଚାଷ କରି ଅମଳ କରିପାରୁ ନାହାନ୍ତି । ଜମିରେ ଗଛ ଉଠିବା ଠାରୁ ଫସଲ ହେବା ପର୍ଯ୍ୟନ୍ତ ସବୁ ମାଙ୍କଡ ଓ ଷଣ୍ଢ ନଷ୍ଟ କରିଦେଉଛନ୍ତି । ଚାଷ ଜମିରୁ ମୁଗ, ବିରି, ବାଦାମ, କଖାରୁ, ଆଳୁ, କୋବି, ବାଇଗଣ ଆଦି ଫସଲ ମାଙ୍କଡ ଏବଂ ଷଣ୍ଢ ମୁହଁରେ ଯାଉଛି । ଦିନ ଓ ରାତିରେ ଏମାନେ ଫସଲ ନଷ୍ଟ କରୁଛନ୍ତି । ବଡମଙ୍ଗରାଜପୁର ଗ୍ରାମରେ ମାଙ୍କଡମାନେ ଅଧିକ ସଂଖ୍ୟାରେ ଥିବାରୁ ଚାଷୀ ଏବଂ ଗ୍ରାମର ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି । ଜମିର ଫସଲ ଏବଂ ବାଡି- ବଗିଚାର ଗଛ ଲତା, ଫୁଲ ଫଳ ସବୁ ମାଙ୍କଡମାନେ ନଷ୍ଟ କରୁଛନ୍ତି । ଫସଲ ନଷ୍ଟ କରିବା ସହ ମାଙ୍କଡମାନେ ଲୋକମାନଙ୍କୁ ଆକ୍ରମଣ କରି କ୍ଷତାକ୍ତ କରୁଛନ୍ତି । ଏସବୁ ସମସ୍ୟାରୁ ରକ୍ଷା ପାଇଁ ସେହି ଗ୍ରାମର ଗୋଲକ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ମହେଶପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର