ରଘୁନାଥପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ପୂର୍ତ ବିଭାଗ ଅଧିନରେ ଥିବା ରଘୁନାଥପୁର ବ୍ଲକ୍ ଛକ ଠାରୁ ଜଗତସିଂହପୁର ଗାନ୍ଧି ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯିବା ପାଇଁ ଆଜି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ , ଫକିରପଡ଼ା ସହକାରୀ ଯନ୍ତ୍ରୀ ରତିକାନ୍ତ ବେହେରା ଓ କନିଷ୍ଠ ଯନ୍ତ୍ରୀ ବିନୟ କୁମାର ଦାସ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ ନିରୀକ୍ଷଣ କରିଛନ୍ତି । ୬ କୋଟି ଟଙ୍କାର ବ୍ୟୟ ଅଟକଳରେ ଦକ୍ଷ କନଷ୍ଟ୍ରକସନ୍ ଏହି କାର୍ଯ୍ୟ ହାତକୁ ନେଇଥିବାବେଳେ ଏହାକୁ ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ନିର୍ବାହୀ ଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ୧୧.୫ କିମି ବିଶିଷ୍ଟ ରାସ୍ତା ରଘୁନାଥପୁର ବ୍ଲକ୍ ରୁ ସିଧା ଜିଲା ସଦର ମହକୁମାକୁ ସଂଯୋଗ କରୁଥିବାବେଳେ ବିଭିନ୍ନ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇ ଯାତାୟତରେ ବ୍ୟାଘାତ ସୃଷ୍ଟି କରୁଥିଲା । ବିଜୁ ପଟ୍ଟନାୟକ ଛକ ଠାରୁ କନ୍ଦରା ପଟି ଛକ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଅଣ ଓସାରିଆ ହୋଇଥିବାରୁ ଏହି ରାସ୍ତାରେ ଯାନ ବାହାନ ଯାତାୟତ କରିବା ଅତ୍ୟନ୍ତ ବିପଦ ସଙ୍କୁଳ ହୋଇ ପଡ଼ଧୁଥିଲା । ଏପରିକି ସ୍କୁଲ କଲେଜ ଛାତ୍ର ଛାତ୍ରୀ , ଆମ୍ବୁଲାନ୍ସ, ଦମକଳ ଆଦି ଗାଡ଼ି ଯାତାୟତରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଏହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣକୁ ଲକ୍ଷ ରଖି ଅଂଚଳବାସୀମାନେ ବିଭାଗୀୟ ଅଧିକାରୀ ଓ ଜଗତସିଂହପୁର ଜିଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର