ପୂର୍ବତନ ବିଧାୟକଙ୍କ ଫଳକ ଉପରେ ବ୍ୟାନର ଲଗାଯାଇଥିବାରୁ ବିଧାୟକ କ୍ଷୁବ୍ଧ
ରଘୁନାଥପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)-ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଆଜି ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଂହଚି ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପ୍ରକାଶ ଥାଉକି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ରଘୁନାଥପୁର ମେଡିକାଲର ଔଷଧ ଭଣ୍ଡାର ଗୃହର ଉନ୍ମୋଚନ ଫଳକ ଉପରେ ମେଡିକାଲ ପକ୍ଷରୁ ଏକ ବ୍ୟାନର ଲଗାଯାଇ ଏହି ଫଳକକୁ ଲୁଚାଇ ଦିଆଯାଇଥିଲା । ସ୍ଥାନୀୟ ଲୋକମାନେ ବର୍ତମାନର ବିଧାୟକ ଶ୍ରୀ ଦାସଙ୍କର ଏହି ଘଟଣା ଦୃଷ୍ଟିକୁ ଆଣିବା ପରେ ବିଧାୟକ ବ୍ୟାନର ଲଗାଇଥିବା ମେଡିକାଲ କର୍ମଚାରୀଙ୍କ ଉପରେ କ୍ଷୁବ୍ଧ ହୋଇ ଏଭଳି କାର୍ଯ୍ୟରୁ ନିବୃତ ହେବାକୁ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ଉପସ୍ଥିତିରେ ଫଳକ ଉପରେ ଲଗାଯାଇଥିବା ବ୍ୟାନରଟିକୁ ଚିରାଯାଇଥିଲା । ଏହାପରେ ବିଧାୟକ ଶ୍ରୀ ଦାସ ଆଉଟ୍ ଡୋର, ନିରାମୟ ଯୋଜନା, ଲାବୋରେଟୋରୀ, କରୋନା ଟେଷ୍ଟ, କରୋନା ଟିକାଦାନର ବ୍ୟବସ୍ଥା, ପ୍ରସୁତୀ ଓ ସ୍ତ୍ରୀ ରୋଗ ବିଭାଗ, ମହିଳା ଓା୍ୱର୍ଡ, ପୁରୁଷ ୱାର୍ଡ, ଅପରେସନ ଥିଏଟର, ମେଡିକାଲର ଭିତରର ପରିବେଶ ବୁଲି ଦେଖିଥିଲେ । ଏହାପରେ ମେଡିକାଲ ସଭା ଗୃହରେ ଅନୁଷ୍ଠିତ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀକଲ୍ୟାଣ ସମିତି ବୈଠକରେ ଯୋଗଦେଇ ମେଡିକାଲର ସମସ୍ତ କର୍ମଚାରୀ ବିଶେଷ କରି ଆଶା କର୍ମୀ ମାନଙ୍କର କାର୍ଯ୍ୟ ଓ ସେମାନଙ୍କର ପ୍ରାପ୍ୟ ପାଉଛନ୍ତି ନା ନାହିଁ ବିଧାୟକ ପଚାରି ବୁଝିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ର ସୁବିଧା, ଅସୁବିଧା, ସ୍ପେସାଲିଷ୍ଟ ପଦବି ଖାଲିପଡିଥିବା, ରଘୁନାଥପୁର ମେଡିକାଲରେ ଏକ୍ସରେ ବ୍ୟବସ୍ଥା, ଇ.ସି.ଜି ବ୍ୟବସ୍ଥା, ଅଲ୍ଟ୍ରା ସାଉଣ୍ଡ ବ୍ୟବସ୍ଥା କରାଯିବାକୁ ଅଧ୍ୟାପକ ଆଶିଷ ଚକ୍ରବର୍ତୀ ବିଧାୟକଙ୍କ ଠାରେ ଅନୁରୋଧ କରିଥିଲେ । ଏହି ହସ୍ପିଟାଲର ନବିକରଣ କାର୍ଯ୍ୟ, ବିଦ୍ୟୁତକରଣ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ପୂର୍ବତନ ଜିଲ୍ଲା ପରିଷଦ ସରୋଜ କାନ୍ତ ସ୍ୱାଇଁ ବୈଠକରେ ଅଭିଯୋଗ କରି ଏହାର ତଦନ୍ତ କରାଇବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ମେଡିକାଲର ଅଧ୍ୟକ୍ଷ ଡ. ସୁକାନ୍ତ କୁମାର ଦଳାଇ, ଡ. ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଡ. ବିଭାବଷୁ ମଣି, ଡ. ନିତିଶ କୁମାର ସ୍ୱାଇଁ, ସମିତି ସଭ୍ୟା ଜୟନ୍ତି ଦାସ, ସିଡିପିଓ ଜ୍ୟେତ୍ସାରାଣୀ ସ୍ୱାଇଁ, ପୂର୍ବତନ ସମିତିସଭ୍ୟ ଅନ୍ତର୍ଯ୍ୟାମି ରାଉତ, ପି.ଏଚ୍.ଇ.ଓ ରାନୁ ମହାପାତ୍ର, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦାଶ, ପୂର୍ବତନ ସରପଂଚ ବଂଶୀଧର ସ୍ୱାଇଁ, ଆକାଉଂଟାଂଟ ନିଖିଲ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର