ରଘୁନାଥପୁର, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)-ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ରଘୁନାଥପୁର ତହସିଲ ଛପଡ଼ା ପଂଚାୟତ କେରେକେରା ଠାରେ ଅବସ୍ଥିତ ପ୍ରଭୁ ଗୋରଖନାଥଙ୍କ ନିକଟକୁ ଯିବା ପାଇଁ ଥିବା ରାସ୍ତାକୁ ଉନ୍ନତିକରଣ ସହିତ ପୀଠ ପାଶ୍ୱର୍ ମୁଖ୍ୟ ରାସ୍ତାକୁ ପ୍ରସସ୍ତିକରଣ ଓ ଜବର ଦଖଲ ଉଛେଦ ସହିତ ଆଲୋକି କରଣ କରାଯିବାକୁ ଦାବି ହେଉଛି । କରୋନା ପ୍ରଭାବରେ ଦୀର୍ଘ ଦିନ ମନ୍ଦିର ବନ୍ଦ ରହିବା ପରେ ବର୍ତମାନ କୋଭିଡ଼ କଟକଣା କୋହଳ ହୋଇଥିବାରୁ ଏଠାରେ ପ୍ରତି ସୋମବାର , ଗୁରୁବାର, ସଂକ୍ରାନ୍ତୀ ଏବଂ ବିଭିନ୍ନ ପର୍ବ ପର୍ବାଣୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଅଛି । ତେବେ ଏଠାକୁ ଯିବା ପାଇଁ ଗୋରଖନାଥ ଷ୍ଟେସନ୍ ରାସ୍ତା , ରାହାଡ଼ିଙ୍ଗା ଠାରେ କେନାଲ ରାସ୍ତା ଓ କେରେକେରା ଛକ ଠାରୁ ଯାଇଥିବା ଗ୍ରାମ୍ୟ ରାସ୍ତା ଅତ୍ୟନ୍ତ ସଙ୍କିର୍ଣ୍ଣ ଅଟେ । ଏହି ରାସ୍ତାରେ ଦୁଇଟି ଚାରି ଚକିଆ ଯାନ ପରସ୍ପରକୁ ଅତିକ୍ରମ କରିବା ମଧ୍ୟ ସହଜ ହୋଇନଥାଏ । ଏହିପରି ଷ୍ଟେସନ ରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମାଟି ରାସ୍ତା ହୋଇଥିବାରୁ ବର୍ଷା ହେଲେ ଏହି ରାସ୍ତାରେ ପାଦଚଲା ଯାତ୍ରୀ ମଧ୍ୟ ଯିବା ଆସିବା କଷ୍ଟ କର ହୋଇପଡ଼େ । ଅନ୍ୟ ପକ୍ଷରେ ମନ୍ତିର ପରିସରକୁ ଲାଗି ଯାଇଥିବା ରାସ୍ତାକୁ ସ୍ଥାନୀୟ ବ୍ୟବସାୟୀ ଓ ଉଠା ଦୋକାନୀ ମାନେ ଜବରଦଖଲ କରି ନିଜର ପସରା ଖୋଲିଥିବାରୁ ପର୍ବ ପର୍ବାଣୀରେ ଦୂର ଦୂରାନ୍ତରୁ ଆସୁଥିବା ସାଧାରଣ ଭକ୍ତ ଓ ଶ୍ରଦ୍ଧାକୁମାନେ ପୀଠ ମଧ୍ୟକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହିସବୁ ରାସ୍ତାରେ ଆଲୋକିକରଣ ର ବ୍ୟବସ୍ଥା ନଥିବାରୁ ଅନ୍ଧାରୁଆ ସ୍ଥାନ ମାନଙ୍କରେ ଦୁର୍ବୃତମାନଙ୍କ ଦ୍ୱାରା ଭକ୍ତ ଓ ଶ୍ରଦ୍ଧାଳୁମାନେ ଛିନତାଇ ର ସମ୍ମୁଖୀନ ହେବା ଏକ ନୀତି ଦିନିଆ ଘଟଣା । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ନିକଟରୁ ଜବର ଦଖଲ ହଟାଇବା ସହିତ ରାସ୍ତାର ପ୍ରଶସ୍ତି କରଣ , ଉନ୍ନତି କରଣ , ଆଲୋକିକରଣ କରାଯିବାକୁ ସ୍ଥାନୀୟ ବୁଦ୍ଧିଜିବୀମାନେ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର