କେନ୍ଦ୍ରାପଡା, ୧୨/୦୨/୨୦୨୧ (ଓଡ଼ିଶା ସମାଚାର)- ଜଣେ ଅସହାୟା ମହିଳାଙ୍କୁ ଶଶୁର ଓ ଦିଅର ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତୁଣୁପୁର ଗ୍ରାମର ଦିଲ୍ଲିପ କୁମାର ପଣ୍ଡାଙ୍କ ପତ୍ନୀ ୫୫ବର୍ଷିୟା ମହିଳା ରଞ୍ଜୁବାଳା ପଣ୍ଡାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଶଶୁର ଶୁକଦେବ ପଣ୍ଡା ଓ ଦିଅର ସନାତନ ପଣ୍ଡା ତାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ତାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମିଳିଥିବା ବେଳେ ତାଙ୍କୁ ଘର କରାଇ ଦେଉନାହାନ୍ତି । ଘରୁ ବାଡେଇ ବାହାର କରିଦେବାକୁ ଧମକ ଦିଆଯାଉଛି । ତାଙ୍କ ଚୁଲି ଭାଙ୍ଗି ଦେବା ସହ ଜିନିଷପତ୍ର ନଷ୍ଟ କରିବା ଓ କଟୁରୀରେ ତାଙ୍କୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କୁ ଜମିବାଡିରୁ ଭାଗବାଂଟ ଦେଉନଥିବା ବେଳେ ୩ଟି ଝିଅଙ୍କୁ ଧରି ବହୁ କଷ୍ଟରେ ଚଳୁଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସଦର ଥାନାରେ ସେ ଅଭିଯୋଗ କରିଥିଲେବି ପୋଲିସ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଗତ ୨୦୧୯ମସିହା ଫେବୃୟାରୀମାସ ୨ତାରିଖରେ ହୋଇଥିବା ପଂଚାୟତନାମାକୁ ତାଙ୍କ ଶଶୁର ମାନୁନଥିବା ମଧ୍ୟ ଅଭିଯୋଗ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ସଦର ଥାନା ଅଧିକାରୀଙ୍କୁ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର