ଭୁବନ,୧୧/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସାର୍ବଜନିତ ବାତଜ୍ୱର ଔଷଧ ସବେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ମେଡିକାଲ ଅଫିସର ଡା.ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଡା.ମନୋଜ କୁମାର ମହାନ୍ତି,ଆକାଉଟାଣ୍ଟ ଦିଲ୍ଲୀପ କୁମାର ଦାସ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଡି.ଇ.ସି ବଟିକା ସହିତ ଆଲବେଣ୍ଡାଜଲ ବଟିକା ଖାଇବା ଓ ବଣ୍ଟନ ସଂପର୍କରେ ଅବଗତ କରାଇଥିଲେ । ପରେ ଭୁବନ ପଂଚାୟତ ସମିତି ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସଭାପତିତ୍ୱରେ ବାତଜ୍ୱର ଔଷଧ ସେବନ ଓ ବଣ୍ଟନ ସଂପର୍କରେ ଆଲୋଚନା କରାଯାଇଥିଲା । ବିଡିଓ ଆଶୀର୍ବାଦ ପରିଡା,ସିଡିପିଓ ପ୍ରମୋଦିନୀ ତ୍ରିପାଠୀ ନିଜେ ଔଷଧ ସେବନ କରିଥିଲେ । ଓଡିଶା କୁ ବାତଜ୍ୱର ମୁକ୍ତ କରିବା ସକାଶେ ସରକାରଙ୍କ ଯୁଗାନ୍ତକାରୀ ଯୋଜନାକୁ ଘରେ ଘରେ ପହଂଚାଇ ଅଙ୍ଗନୱାଡି, ଆଶା କର୍ମୀ ଓ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ପ୍ରତ୍ୟେକଙ୍କ ଘରକୁ ଯାଇ ଔଷଧ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨ ବର୍ଷରୁ ୫ ବର୍ଷ ଶିଶୁ ଗୋଟିଏ ଡିଇସି ବଟିକା ଓ ଗୋଟିଏ ଆଲବେଣ୍ଡାଜଲ ବଟିକା,୬ ରୁ ୧୪ ବର୍ଷ ପିଲା ୨ ଟି ଡିଇସି ଓ ଗୋଟିଏ ଆଲବେଣ୍ଡାଜଲ ଏବଂ ୧୪ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ୩ ଟି ଡିଇସି ବଟିକା ସହିତ ଗୋଟିଏ ଆଲବେଣ୍ଡାଜଲ ବଟିକା ଖାଦ୍ୟ ଖାଇସାରିବା ପରେ ନିଶ୍ଚିତ ଖାଇବେ ବୋଲି କୁହାଯାଇଥିଲା । ତେବେ ୨ ବର୍ଷରୁ କମ୍ ବୟସର ଶିଶୁ,ଗର୍ଭବତୀ ମହିଳା ଓ ଅସୁସ୍ଥ କିମ୍ବା ରୋଗୀ ମାନେ ଏହି ବଟିକା ଖାଇବେ ନାହିଁ ବୋଲି ସତର୍କ କରାଯାଇଥିଲା । ଶେଷରେ ଏନଏସି ସଭାଗୃହରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର