Saturday , April 1 2023
Breaking News
Home / ବିଶେଷ / ମୁଣ୍ଡ ବିହୀନ ମହିଳାଙ୍କ କଟା ମୁଣ୍ଡ ଓ ପରିଚୟ ମିଳିବା ସହିତ ଘଟଣାର ପର୍ଦ୍ଦାଫାଶ

ମୁଣ୍ଡ ବିହୀନ ମହିଳାଙ୍କ କଟା ମୁଣ୍ଡ ଓ ପରିଚୟ ମିଳିବା ସହିତ ଘଟଣାର ପର୍ଦ୍ଦାଫାଶ

ଭୁବନେଶ୍ୱର, ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଆନ୍ଧାରୁଆ-ଦାସପୁର ରାସ୍ତାରୁ ମିଳିଥିବା ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ ମିଳିବା ସହିତ ଘଟଣାର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ କମିଶନର ସୁଧାଂଷୁ ଷଡଙ୍ଗୀ ଗଣମାଧ୍ୟମ ରେ ସୂଚନା ଦେଇଛନ୍ତି ।
ପୋଲିସ କମିଶନରଙ୍କ ସୂଚନା ଅନୁସାରେ ମୃତ ମହିଳା ହେଉଛନ୍ତି ପୁଷ୍ପଲତା ରାଉଳ(୨୮) । ତାଙ୍କର ସ୍ୱାମୀ ମୃତ । ସେ ମଞ୍ଚେଶ୍ୱର ସ୍ଥିତ ଧୀରକୁଟ ବସ୍ତିରେ ରହୁଥିଲେ । ମହିଳାଙ୍କ ଶବକୁ ତାଙ୍କ ପରିବାରଲୋକ ଚିହ୍ନଟ କରିଛନ୍ତି । ମହିଳାଙ୍କ ସ୍ୱାମୀ ଙ୍କ ଦେହାନ୍ତ ପରେ ସେ ସଞ୍ଜୟ ଆଲିଆସ୍ ଅଙ୍ଗତ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ । ପୂର୍ବରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ରହୁଥିଲେ । ଗତ ୬ ବର୍ଷ ହେବ ପୁଷ୍ପଲତା ସଞ୍ଜୟଙ୍କୁ ଜାଣିଥିଲେ । ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ ଏକ ଘର କରି ଏକା ରହୁଥିଲେ । ବେଳେ ବେଳେ ସେ ଫୁଲେଶ୍ୱରୀ ବସ୍ତିରେ ଥିବା ସଞ୍ଜୟର ଘର କୁ ଆସୁଥିଲେ । ପରେ ସେ ସଞ୍ଜୟଙ୍କ ସହିତ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ ।
ତେବେ ଗତ ଡିସେମ୍ବର ୨୪ ତାରିଖରେ ପୁଷ୍ପଲତା ଚକେଇସିଆଣୀର ପ୍ରୀତିରଞ୍ଜନ ପତି ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ଅଳ୍ପ କିଛି ଦିନ ପରେ ସେ ପୁଣି ସଞ୍ଜୟଙ୍କୁ ନିକଟକୁ ଫେରିଆସି ଫୁଲେଶ୍ୱରୀ ବସ୍ତିରେ ରହିଲେ । ପୁଷ୍ପଲତାଙ୍କ ବିବାହକୁ ନେଇ ସଞ୍ଜୟ ଏବଂ ପୁଷ୍ପଲତାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫେବୃଆରୀ ୩ ତାରିଖ ସନ୍ଧ୍ୟା ବେଳେ ସଞ୍ଜୟ ପୁଷ୍ପଲତାଙ୍କ ତନ୍ଟିଚିପି ହତ୍ୟା କରିଥିଲା । ଏହାପରେ ସଞ୍ଜୟ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସ ନାମକ ତାର ଜଣେ ସାଙ୍ଗକୁ ଡାକିଥିଲା ।
ସଞ୍ଜୟ ଦାସ ଏକ ବୋଲେରୋ ଗାଡିର ମାଲିକ ଓ ଡ୍ରାଇଭର । ଚନ୍ଦୁ ଜଣେ ରାଜ ମିସ୍ତ୍ରୀ । ଉଭୟ ଗଞ୍ଜାମ ଜିଲ୍ଲାର ପାଖାପାଖି ଗାଁର । ପ୍ରମାଣ ନଷ୍ଟ କରିବା ପାଇଁ ଉଭୟ ମିଶି ଷଡଯନ୍ତ୍ର କରିଥିଲେ । ଆଇଗିଣିଆ ବଜାରକୁ ଯାଇ ଉଭୟ ଦୁଇ ଯୋଡ଼ା ସର୍ଜିକାଲ ଗ୍ଲୋବ୍ସ ଏବଂ ଛୁରୀ କିଣିଥିଲେ । ବିଳମ୍ବିତ ରାତିରେ ସମସ୍ତେ ଶୋଇବା ପରେ ବୋଲେରୋ ଗାଡିରେ ମୃତଦେହ କୁ ନେଇ ଅନ୍ଧାରୁଆ-ଦାସପୁର ଫିଙ୍ଗି ମୁଣ୍ଡଟିକୁ କାଟି ନେଇଥିଲେ । କଟା ମୁଣ୍ଡଟିକୁ ଖଣ୍ଡଗିରି-ଚନ୍ଦକା ରାସ୍ତାରେ ଏକ ଟ୍ରେଂଚ ମଧ୍ୟରେ ପକାଇଦେଇଥିଲେ ।
ଏହି କାର୍ଡ ଘଟାଇବା ପରେ ଉଭୟ ଦଶପଲ୍ଲାରେ ଯାଇ ଜଣେ ବନ୍ଧୁଙ୍କ ଘରେ ରହିଥିଲେ । ଅପରାଧରେ ବ୍ୟବହୃତ ବୋଲେରୋ ଗାଡି, ପୁଷ୍ପଲତାଙ୍କ ମୋବାଇଲ୍, କଟା ମୁଣ୍ଡ ଜବତ କରାଯାଇଛି । ଉଭୟ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନେ ପୋଳିସ ଆଗରେ ସମସ୍ତ କଥା ସ୍ୱିକାର କରିଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଓଡ଼ିଶା ସମାଚାର

Leave a Reply

Your email address will not be published.