Sunday , March 26 2023
Breaking News
Home / ରାଜନୀତି / “ମାଟି ପାଇଁ ପାଟି ଖୋଲ” – କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ମହାଆନ୍ଦୋଳନ

“ମାଟି ପାଇଁ ପାଟି ଖୋଲ” – କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ମହାଆନ୍ଦୋଳନ

କେନ୍ଦ୍ରାପଡା, ୧୧/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ “ମାଟି ପାଇଁ ପାଟି ଖୋଲ” କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ମହା ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରୁଣା ବସଷ୍ଟାଣ୍ଡ ନିକଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମାଟି ପାଇଁ କିଏ ପାଟି ଖୋଲିବ ବୋଲି ପ୍ରଶ୍ନ କରିଥିଲେ । ଏହି ଜିଲ୍ଲାର ଦୁଇଜଣ ଜନପ୍ରତିନିଧି ମନ୍ତ୍ରୀ ହେବାର ନିଶା ଘାରିଥିବା ବେଳେ ଅନ୍ୟ ଜଣେ ପ୍ରତିନିଧିଙ୍କୁ ଟିକେଟ ମିଳିବାର ନଥିବା ବେଳେ ଶେଷ ମୁହୁର୍ତରେ ତାଙ୍କୁ ଏଠାରେ ଆଡଜଷ୍ଟ କରାଯାଇଛି । ଯଦି କିଏ ପାଟି ଖୋଲିବ ତା’ର ଅବସ୍ଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ହେବ, ତେଣୁ କେହି ଜନପ୍ରତିନିଧି ପାଟି ଖୋଲୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କେନ୍ଦ୍ରାପଡା ହେଉଛି ରାଜ୍ୟର ସର୍ବପୁରାତନ ପୌରସଂସ୍ଥା । ଏହା ହେଉଛି ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ପୀଠ । ବାରିପଦା, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ ଭଳି ସ୍ଥାନରେ ମେଡିକାଲ କଲେଜ ହେଉଥିବା ବେଳେ ଏଠାରେ କାହିଁକି ନହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । କଂଗ୍ରେସ ଦଳ କେନ୍ଦ୍ରାପଡାବାସୀଙ୍କ ଏହି ନ୍ୟାଯ୍ୟ ଦାବିକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟ ଓଡିଶାର ୨୧ଟି ପଂଚାୟତକୁ ମାଡିବସି ୨ଟିରେ ନିର୍ବାଚନ କରି ସରପଂଚ ନିର୍ବାଚିତ କରିସାରିଲାଣି । ରାଜ୍ୟ ସରକାର ଶୋଇଛନ୍ତି । ଅନ୍ୟପଟରେ ମହାନଦୀ ଜଳକୁ ସରକାର ସୁରକ୍ଷା ଦେଇପାରିନଥିବା ବେଳେ ଜଳ,ମାଟି ଓ ଜଙ୍ଗଲ ଏ ସରକାରଙ୍କ ଦ୍ୱାରା ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ । ଜନସାଧାରଣ ଓ ଚାଷୀଙ୍କୁ ସରକାର ସୁରକ୍ଷା ଦେବାକୁ ଅକ୍ଷମ । ଏହି ରାଜ୍ୟ ସରକାରଙ୍କ ଅମଳରେ ୫ଟି ରାଜନୈତିକ ହତ୍ୟାକାଣ୍ଡ ଘଟିସାରିଲାଣି । କେନ୍ଦ୍ର ସରକାର ଦେଶରେ ଭାଇଚାରାକୁ ନଷ୍ଟ କରୁଥିବା ବେଳେ ସମ୍ବିଧାନକୁ ବିକୃତ  କରୁଛନ୍ତି । ଦେଶରେ ପ୍ରଚାର, ପ୍ରତିଶୃତି ଓ ପ୍ରତାରଣର ସରକାର ଚାଲିଛି । ଏଭଳି ପରିସ୍ଥିତିରେ କେନ୍ଦ୍ରାପଡାବାସୀ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡିବ । କେନ୍ଦ୍ରାପଡାବାସୀଙ୍କ ସ୍ୱାଭିମାନ ଅଛି ତେଣୁ ସେମାନେ ନିଜର ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ୨ବର୍ଷରେ ୨ଲକ୍ଷଙ୍କୁ ନିଯୁକ୍ତି ଦେବେ । କାହିଁ ସେହି ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୧ବର୍ଷ ଶାସନକାଳ ଭିତରେ ଜଳସେଚନ ପାଇଁ କୃଷିକ୍ଷେତ୍ରକୁ ଜଳ ନାହିଁ , କି କିଛି ଶିଳ୍ପ ମଧ୍ୟ ନାହିଁ । କରୋନା ନାଁରେ ବହୁ ଅର୍ଥ ଖାଇଯାଇଛି ଏ ସରକାର । କେନ୍ଦ୍ରାପଡାରେ ମେଡିକାଲ କଲେଜ ଦାବି ଯୁକ୍ତିଯୁକ୍ତ । ଅନ୍ୟ ଜିଲ୍ଲା ଗୁଡିକରେ ମେଡିକାଲ କଲେଜ ହେଉଥିବା ବେଳେ ପ୍ରଥମେ କେନ୍ଦ୍ରାପଡାରେ ଏହା ହେବା ଉଚିତ ବୋଲି ଶ୍ରୀ ରାଉତରାୟ କହିଥିଲେ । ଯଦି ବିଜେଡି ସରକାର ଅମଳରେ ନହୁଏ ତେବେ ୨୦୨୪ରେ କଂଗ୍ରେସ ରାଜ୍ୟରେ ସରକାର କଲେ କେନ୍ଦ୍ରାପଡାରେ ନିଶ୍ଚିତ ମେଡିକାଲ କଲେଜ ହେବ ବୋଲି ସେ ଦୃଢତାର ସହ କହିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ କହିଥିଲେ ଯେ କେନ୍ଦ୍ରାପଡାରୁ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧିମାନଙ୍କର ଏଠାରେ ମେଡିକାଲ କଲେଜ ପାଇଁ ପାଟି ଖୋଲୁନି ତେଣୁ ଆମେ ସମସ୍ତେ ଏକାଠି ହୋଇ ମା’ମାଟି ପାଇଁ ଲଢେଇ କରି ଆମର ହକ ଦାବି ହାସଲ କରିବାକୁ ପଡିବ । ପିସିସି ଉପସଭାପତି ଇଂ ଜ୍ଞାନଦେବ ବେହୁରା ଯୋଗଦେଇ କେନ୍ଦ୍ରାପଡାର ସ୍ୱାର୍ଥ,  ସ୍ୱାଭିମାନ ଓ ସୁରକ୍ଷା ପାଇଁ ଲଢେଇ ହେବ ବୋଲି କହିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କେନ୍ଦ୍ରାପଡାବାସୀ ଯବାବ ଚାହୁଁଛନ୍ତି ସେମାନଙ୍କ ପ୍ରତିନିଧି ବିଧାୟକ ଓ ସାଂସଦ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିରବ କାହିଁକି ?ରାଜନୈତିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ରାପଡାର ସମସ୍ୟା ପ୍ରତି ନିରବ ,ନିଷ୍ପନ୍ଦ ସାଜିଛନ୍ତି ସେହି ଜନପ୍ରତିନିଧିମାନେ । ତେବେ କେନ୍ଦ୍ରାପଡାବାସୀ  ସେମାନଙ୍କୁ କେଭେବି କ୍ଷମା କରିବନାହିଁ ବୋଲି କହିଥିଲେ ଶ୍ରୀ ବେହେରା । ଏହି ଅବସରରେ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡାରେ ତୁରନ୍ତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ପୂର୍ବତନ ମହାକାଳପଡା କଂଗ୍ରେସ ନେତା ବିଭ୍ରାଂଶୁ ଲେଙ୍କା ଯୋଗଦେଇ ବକ୍ତବ୍ୟ ରଖିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ    କଂଗ୍ରେସ ନେତା ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ୍ଲ କୁମାର ଦାସ,  ଶିବ ପ୍ରସାଦ ବିଶ୍ୱାଳ, ସୈାମେନ୍ଦ୍ର ପୃଷ୍ଟି, ମୁକ୍ତାର ଖାଁ, ହିବଜୁର ରହେମାନ, ଭାଗିରଥୀ ଜେନା, ପ୍ରଦୀପ ପ୍ରଧାନ, ଜ୍ଞାନରଞ୍ଜନ ମହାନ୍ତି,  ମହେନ୍ଦ୍ର ପରିଡା, ଗୋପାଳକୃଷ୍ଣ ଜେନା, ମୀର ମୁର୍ଶିଦ, ସିଦ୍ଧାର୍ଥ ଜେନା, ରତିକାନ୍ତ ସାମଲ, ପୀତବାସ ବେହେରା, ବସନ୍ତ କୁମାର ରାଉତ, କମଳାକାନ୍ତ ବେହେରା, ସୟଦ ମୁକ୍ତାର ଅଲ୍ଲୀ , ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.