Saturday , March 25 2023
Breaking News
Home / ବିଶେଷ / କେନ୍ଦ୍ରାପଡା କଲେଜ ମୋ ସୃଜନର ଏନ୍ତୁଡିଶାଳ

କେନ୍ଦ୍ରାପଡା କଲେଜ ମୋ ସୃଜନର ଏନ୍ତୁଡିଶାଳ

କେନ୍ଦ୍ରାପଡା,୧୧/୦୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଓଡିଆ ସାହିତ୍ୟ ସମାଜ ଆନୁକୁଲ୍ୟରେ ବିଶିଷ୍ଟ ସାହିତ୍ୟିକ ଅତିବଡି ପୁରସ୍କାରପ୍ରାପ୍ତ ଲେଖକ ଡଃ. ରାମଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ତଥା ବିଶିଷ୍ଟ ସମାଲୋଚକ ଡଃ. କାର୍ତିକେଶ୍ୱର ସାହୁ ଯୋଗଦେଇଥିଲେ । ପ୍ରାଧ୍ୟାପକ ତପନ କୁମାର ପତି ଅତିଥି ପରିଚୟ ପ୍ରଦାନ ସହ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଡଃ. ସାହୁ ଡଃ. ବେହେରାଙ୍କ ପ୍ରଥମ ପାଠକ ତଥା ସମାଲୋଚକ ତାଙ୍କୁ ଲେଖାଲେଖି କରିବା ପାଇଁ ବହୁ ଭାବରେ ପ୍ରୋତ୍ସାହିତ କରିଥିଲେ । ବକ୍ତାମାନେ ଡଃ. ବେହେରାଙ୍କ ବ୍ୟବହୃତ କୋଠରୀକୁ ଐତିହ୍ୟ କକ୍ଷ ଭାବରେ ସଂରକ୍ଷିତ ପାଇଁ ପ୍ରସ୍ତାବ ଦେଇଥିଲେ । ଡଃ. ବେହେରା ଆମ ଗୌରବ, ଐତିହ୍ୟ ଓ ଚଳନ୍ତି କିମ୍ବଦନ୍ତୀ, ତାଙ୍କ ଦ୍ୱାରା ପ୍ରାପ୍ତ ପୁରସ୍କାର ଆମ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିବଡି ପୁରସ୍କାରପ୍ରାପ୍ତ ଲେଖକ ଡଃ. ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ମୁଖ୍ୟ ଅତିଥି ଡଃ. ସାହୁଙ୍କୁ କଲେଜ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଡଃ. ବେହେରା କଲେଜ ତାଙ୍କ ସୃଜନର ଏନ୍ତୁଡିଶାଳ ଏବଂ ଏହି କଲେଜ ତାଙ୍କୁ ପରିପୁଷ୍ଟ କରିଛି ଓ ଏ ମାଟି ତାଙ୍କ ପାଇଁ ଚନ୍ଦନ ବୋଲି ଅଭିହିତ କରିଥିଲେ । ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ଡଃ. ନାରାୟଣ ନାଥଶର୍ମା, ଡଃ. ସେକ ସମସୁର, ଡଃ. ବିନାୟକ ଦାଶ, କବି ଅପର୍ଣ୍ଣା ମହାନ୍ତି, ଡଃ. ବାସୁଦେବ ଦାସ, ଗାଳ୍ପକା ସୁଶ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଆ ବିଭାଗର ପ୍ରମୋଦ କୁମାର ବେହେରା, ସଶ୍ମିତା ଅଧିକାରୀ, ଡଃ. ଅଜିତ କୁମାର ଦାସଙ୍କ ସମେତ ସମସ୍ତ ବିଭାଗର ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବ ପରିଚାଳନାରେ ଅଧ୍ୟାପକ ରଞ୍ଜିତ କୁମାର ଦାସ ସହଯୋଗ କରିଥିଲେ । ଲେଫ୍ଟନାଂଟ ସୀମା ମହାନ୍ତି ସଭା ସଂଚାଳନ କରିଥିବା ବେଳେ ଓଡିଆ ବିଭାଗ ମୁଖ୍ୟ ମନିଷାକାନ୍ତି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.