କାଲିଫର୍ଣ୍ଣିଆ / ସିଙ୍ଗାପୁର / ଭୁବନେଶ୍ୱର, ୧୧/୦୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ (ଓସା)ର ଉଚ୍ଚ ଶିକ୍ଷା ପ୍ରୟାସକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ବିଶେଷ କରି ଓସାଦ୍ୱାରା ଗଠନ କରାଯାଇଥିବା ବିଶ୍ୱ ଉଚ୍ଚ ଶିକ୍ଷା କମିଟି (ବିଉଶିକ) ତରଫରୁ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ନେଇ ଗ୍ରହଣ କରାଯାଉଥିବା ସକାରାତ୍ମକ ପଦକ୍ଷେପଗୁଡ଼ିକ ମନ୍ତ୍ରୀ ଶ୍ରୀ ସାହୁ ପସନ୍ଦ ଓ ଆଦୃତ କରିଛନ୍ତି । ନିକଟରେ ଡକ୍ଟର ସାହୁ, ଓସା ଓ ‘ବିଉଶିକ’ର ପ୍ରତିନିଧିବୃନ୍ଦ, ରାଜ୍ୟ ସରକାରଙ୍କର ପଦାଧୀକାରୀ ଏବଂ ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଏକ ମାନସନ୍ଥନ ୱେବ୍ ବୈଠକରେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିଥିବା ଜଣାଯାଇଛି । ଆନ୍ତର୍ଜାତିକ ସ୍ତରରେ ଲବ୍ଧପ୍ରତିଷ୍ଠ ଓଡ଼ିଆ ଶିକ୍ଷାବିତ୍ ମାନଙ୍କର ଉପସ୍ଥିତିରେ ଅନୁଷ୍ଠିତ ଏହି ଅନ୍ ଲାଇନ୍ ଅଧିବେଶନରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉଚ୍ଚ ଶିକ୍ଷା ପ୍ରଦାନ ଓ ପଠନର ମାନକୁ କିଭଳି ଉନ୍ନତ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଛି ।
ଭର୍ଚ୍ଚୁଆଲ୍ ସଭାକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ମନ୍ତ୍ରୀ ଡ. ସାହୁ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବୈଠକରେ ନିମ୍ନୋକ୍ତ ବିଷୟବସ୍ତୁଗୁଡ଼ିକ ଉପରେ ସହମତି ପ୍ରକାଶ ପାଇଥିଲା । ସେଥିମଧ୍ୟରେ ବିଶ୍ୱବିଦ୍ୟାଳୟର ଶିକ୍ଷାବିଭାଗ ଗୁଡ଼ିକର ଆବଶ୍ୟକତା ମୁତାବକ ୱେବିନାର୍ ଏବଂ ସଂସ୍ଥାନ ଉନ୍ନୟନ ନେଇ ବିଷୟବସ୍ତୁ ‘ବିଉଶିକ’ଦ୍ୱାରା ଆୟୋଜନ କରାଯିବ, ପ୍ରଥମେ ଆମେରିକାସ୍ଥିତ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ପ୍ରାରମ୍ଭ କରି ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆନ୍ତର୍ଜାତିକ ବିଦ୍ୟାର୍ଥୀ ଏବଂ ଅଧ୍ୟାପକଙ୍କ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିବେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ପରିସର ଗୁଡ଼ିକରେ ଯଥାଶୀଘ୍ର ଉଚ୍ଚକ୍ଷମତା ସମ୍ପନ୍ନ ୱାଇଫାଇ ବ୍ରଡବ୍ୟାଣ୍ଡ୍ ଉପଲବ୍ଧ କରାଇବେ, ବିଶ୍ୱବିଦ୍ୟାଳୟର କର୍ତୃପକ୍ଷ ସେମାନଙ୍କର ୱେବସାଇଟ୍ ରେ ଫ୍ୟାକାଲଟି ପ୍ରୋଫାଇଲ୍ ଏବଂ ‘ରିସର୍ଚ୍ଚ ଇଂଟରେଷ୍ଟ’ ସମ୍ପର୍କରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବେ, ଯାହାଦ୍ୱାରା କି ବିଶ୍ୱ ଉଚ୍ଚ ଶିକ୍ଷା କମିଟି ଆନ୍ତର୍ଜାତିକ ସ୍ତରର ଅଧ୍ୟାପକ ଓ ଗବେଷକମାନଙ୍କ ସହିତ ସହଯୋଗର ଭିତି ସ୍ଥାପନ କରିପାରିବେ, ‘ମୋ କଲେଜ’ କାର୍ଯ୍ୟକ୍ରମକୁ ଆଧାର କରି ସମସ୍ତ ବିଶ୍ୱବିଦ୍ୟାଳୟରେ ଆଲୁମିନି ଡାଟାବେସ୍ ର ପ୍ରସ୍ତୁତିକୁ ଅଗ୍ରାଧିକାର ଭିତିରେ ପ୍ରାଧାନ୍ୟ ଦିଆଯିବ ଏବଂ ଉଦ୍ୟୋଗ ଜଗତର ସହାୟତାରେ ଇନୋଭେସନ ଏବଂ ଇନକୁବେସନ୍ ଭଳି ଉକ୍ରୃଷ୍ଟ ଶିକ୍ଷା କେନ୍ଦ୍ର ମାନ ପ୍ରତିଷ୍ଠାକୁ ବ୍ୟାପକଭାବେ ପ୍ରୋତ୍ସାହନ ପ୍ରଦାନ କରାଯିବ ।
ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ୍ସଟରନାଲ୍ ଆଡ଼ଭାଇଜରି କାଉନସିଲ୍ ସ୍ଥାପନକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ସାହୁ, ପ୍ରମୁଖ ସଚିବ ଶାସ୍ୱତ ମିଶ୍ର ଏବଂ କୁଳପତିମାନେ ସ୍ୱାଗତ ଜଣାଇବା ସାଙ୍ଗକୁ ସିଣ୍ଡିକେଟ୍ କମିଟିରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସ୍ଥାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ । ପ୍ରତ୍ୟେକ ତିନି ମାସରେ ‘ଓସା’ ଓ ‘ବିଉଶିକ’ ପ୍ରତିନିଧି ମଣ୍ଡଳ ଏବଂ କୁଳପତି ତଥା ରାଜ୍ୟସରକାରଙ୍କର ଅଧିକାରୀମାନଙ୍କ ସହିତ ଏହିଭଳି ବୈଠକ କରାଯାଇ ପ୍ରସ୍ତାବଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭବିଷ୍ୟତରେ ଆକଳନ କରାଯିବା ପାଇଁ ମନ୍ତ୍ରୀ ଡକ୍ଟର ସାହୁ ବୈଠକରେ ରାଜି ହୋଇଥିଲେ ।
ଏହି ଇଂଟରନେଟ୍ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦିନବନ୍ଧୁ ସାହୁ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍. ନାଗରାଜୁ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସା, ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡକ୍ଟର ମନୋଜ ପୁଜାରୀ, ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାଏକ, ‘ଓସା’ର ସଭାପତି କୁକୁ ଦାସ, ଉପସଭାପତି ପ୍ରଫେସର ଅନୀଲ୍ ପଟ୍ଟନାୟକ, ନିୟୁଜର୍ସି ଇନଷ୍ଟିଚୁ୍ୟଟ୍ ଅଫ୍ ଟେକନୋଲୋଜିର ପ୍ରଫେସର ଦୁର୍ଗାମାଧବ ମିଶ୍ର, ଡିଲୋଟେ ଏବଂ ଟଚେର ଡକ୍ଟର ଅଜୟ ମହାନ୍ତି, ଆରିଜୋନା ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଚିତ ବରାଳ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ସଞ୍ଜିବ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର