ଭୁବନେଶ୍ୱର, ୧୦/୦୨/୨୦୨୧ (ଓଡ଼ିଶା ସମାଚାର)-ମଣିଷ ପଣିଆ ଆଗରେ ହାର ମାନିଛି ଜାତିପ୍ରଥା । ପ୍ରତିଭା ଆଶ୍ରମ ଆନୁକୂଲ୍ୟରେ ଆଜିର ଶୁଭ ଅବସରରେ ଆଶ୍ରମର ପ୍ରତିପାଳିତ ଚିଂଟୁ ମିଶ୍ରଙ୍କର ବ୍ରତୋପୟନ ଆର୍ଯ୍ୟ ସମାଜର ନୀତିନିୟମ ଅନୁସାରେ ଗତ ୭ ତାରିଖ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରତିଭା ଆଶ୍ରମର ପ୍ରତିଷ୍ଠାତା ତଥା ସମ୍ପାଦକ ମହମ୍ମଦ ଜାହିରଙ୍କର ଅଦମ୍ୟ ଉତ୍ସାହ, ନିଷ୍ଠା, ଆନ୍ତରିକତା ଏବଂ ବଳିଷ୍ଠ ନେତୃତ୍ୱ ସହ ସର୍ବଧର୍ମ ଏକ ମନୋଭାବ ଯୋଗୁ ଏହି ବ୍ରତୋପୟନ ସର୍ବାଙ୍ଗ ସୁନ୍ଦର ହୋଇପାରିଛି । ଏହି ଆଶ୍ରମଟି ୨୦୧୩ ମସିହା ଫେବୃୟାରୀ ୧ ତାରିଖରେ ଜନ୍ମ ନେଇଥିଲା । ଏଠାରେ ପ୍ରତିପାଳିତ ଅନାଥ ପୁଅ ପିଲାମାନେ ସର୍ବଦା ସୁରକ୍ଷିତ, ସଂଜତ ଓ ଶାନ୍ତିରେ ଅବସ୍ଥାନ କରି ଆସୁଛନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରାୟ ୩୦ଜଣ ପ୍ରତିପାଳିତ ଅନାଥ ପୁତ୍ରମାନଙ୍କୁ ଅତି ଶ୍ରଦ୍ଧା, ସ୍ନେହ ଦେଖାଇ ଆସୁଛନ୍ତି । ମହମ୍ମଦ ଜାହିର ୩୫ ବର୍ଷର ସୁଦକ୍ଷ, କର୍ମଷ୍ଠ, କଷ୍ଟସହିଷ୍ଣୁ ଉଦୀୟମାନ ଯୁବକ । ପିତା ଶେଖ ଅବଦୁଲ ଜବାର ଓ ପ୍ରତିଭା ଆଶ୍ରମର ପରିବାର ସମସ୍ତ ସଦସ୍ୟମାନେ ମନପ୍ରାଣ ଦେଇ ଏହି ପ୍ରତିଭା ଆଶ୍ରମର ପାଳିତମାନଙ୍କୁ ନିଜର ବୋଲି ମନେକରି ସର୍ବଦା ସାହାଯ୍ୟ ସହଯୋଗ କରି ଆସୁଛନ୍ତି । ବିନା ସରକାରୀ ଅନୁଦାନରେ ବହୁତ କଷ୍ଟ ସହି ଏହି ଆଶ୍ରମକୁ ଚଳାଇ ଆସୁଛନ୍ତି ପ୍ରତିଷ୍ଠାତା ମହମ୍ମଦ ଜାହିର ।
ବ୍ରହ୍ମଚାରୀ ଚିଂଟୁ ମିଶ୍ର :
ବ୍ରତୋପୟନ ହେଉଥିବା ଏହି ବାଳକଟି ଚାରିବର୍ଷ ହେଲା ଏହି ଆଶ୍ରମରେ ପ୍ରତିପାଳିତ ହେଉଛି । ସରଳ ସୁନ୍ଦର ବାଳକଟିଏ ଆଶ୍ରମର ନୀତି ନିୟମକୁ ହୃଦୟରେ ମାନି ନେଇଛି । ୧୭ ବର୍ଷର ବାଳକ ସେ ବ୍ରାହ୍ମଣ ପିଲା ବୋଲି ଜଣାପଡ଼ିବାରୁ ବ୍ରତୋପୟନ କରିବା ଉଚିତ ବୋଲି ଆଶ୍ରମର ପ୍ରତିଷ୍ଠାତା ମହମ୍ମଦ ଜାହିର ହୃଦୟଙ୍ଗମ କଲେ ଏବଂ ଏହି କାର୍ଯ୍ୟକୁ ନିଜର ଭାବି କରିବାରେ ଆତ୍ମ ସନ୍ତୋଷ ଉପଲବ୍ଧି କରିଛନ୍ତି । ଚିଂଟୁ ମିଶ୍ରଙ୍କୁ ୧୩ ବୟସରୁ ଆଣି ପ୍ରତିପାଳିତ କରି ତାରି କୁ-ସଂସ୍କାରରୁ ଦୂରେଇ ରଖିଛନ୍ତି । ନିଜର ଅଦ୍ୟମ ଚେଷ୍ଟାରେ ଏବେ ଏଠାରେ ଚିଂଟୁ ମିଶ୍ର ଏକ ଆଦର୍ଶବାଦୀ ବାଳକ ଭାବରେ ଉଦୀୟମାନ । ଆଶ୍ରମର ଅନ୍ୟ ସମସ୍ତ ସହବାସୀଙ୍କ ସହ ଶୃଙ୍ଖଳିତ ଜୀବନ ଯାପନ କରେ ତାହା ଗୁରୁଜନମାନଙ୍କୁ ଅତିଥିମାନଙ୍କୁ ଯଥାମାନ୍ୟ ଅର୍ପଣ କରେ । ଆଶ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶୃଙ୍ଖଳିତ ଜୀବନ ପାଇଁ ଗୁରୁତ୍ୱ ଦେଇଥାନ୍ତି ପ୍ରତିଷ୍ଠାତା ମହମ୍ମଦ ଜାହିର । ଏହି ଆଶ୍ରମରୁ ୩ ଜଣଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରି ନିଜ ଗୃହକୁ ନେଇଛନ୍ତି ବଦାନ୍ୟ ବ୍ୟକ୍ତିମାନେ, ଆହୁରି ମଧ୍ୟ କେତେକ ନିଖୋଜ ଶିଶୁପୁତ୍ରମାନଙ୍କୁ ତାଙ୍କ ବାପା-ମା ପାଖରେ ଫେରିପାଇଛନ୍ତି । ଏହିପରି ବହୁତ ସାମାଜିକ ତଥା ଧର୍ମ କାର୍ଯ୍ୟ ଏହି ଆଶ୍ରମରେ କରିଚାଲିଛନ୍ତି । ଓଡ଼ିଶା ତଥା ଦେଶବିଦେଶରେ ଏହି ଅନୁଷ୍ଠାନକୁ କ୍ରମଶଃ ଲୋକପ୍ରିୟତା ଅର୍ଜନ କରିଚାଲିଛି । ଏହି ପବିତ୍ର ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ସମସ୍ତ ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷା ଯୋଗ ଦେଇଥିଲେ । ଓଡ଼ିଶା ସମାଚାର