ଜଲପାଇଗୁଡ଼ି/ ଭୁବନେଶ୍ୱର, ୦୯/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ଆଇସିଏଆର୍ – କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ପ୍ରତିଷ୍ଠାନ ଦ୍ୱାରା ମଧୁରଜୀବ ପାଳନ କ୍ଷେତ୍ରରେ କୃଷକ ମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପଶ୍ଚିମବଙ୍ଗ ଜଲପାଇଗୁଡ଼ିର ପ୍ରଭୁପରା ଠାରେ ଏକ ରଂଗୀନ ମାଛ ଜଳ କୃଷିକ୍ଷେତ୍ର ବିଦ୍ୟାଳୟ ପ୍ରତିଷ୍ଠାକରି ପ୍ରମାଣିତ କରିଛି । ଡଃ ବି. ଏନ୍. ପଲ୍, ଡଃ ଏସ୍. ଏସ୍. ଗିରି, ଡଃ ଏସ୍. ଅଧିକାରୀ, ଡଃ ଆର୍. ଏନ୍. ମଣ୍ଡଳ, ଡଃଏଚ୍. କେ. ଦେ ଓ ଡଃ ସରୋଜ କୁମାର ସ୍ୱାଇଁ ପ୍ରମୁଖ ବୈଜ୍ଞାନିକ ମାନଙ୍କର ଏକ ଟିମ୍ କୃଷକ-କୃଷକମାନଙ୍କ ମଧ୍ୟରେ ଶିକ୍ଷା ଓ ଜ୍ଞାନ କୌଶଳର ଆଦାନ ପ୍ରଦାନ ଦ୍ୱାରା ରଂଗୀନ ମାଛ ଚାଷର ବିକାଶ କରିବା ପାଇଁ ଦେଶରେ ପ୍ରଥମକରି ଏପରି ଅଭିନବ ପନ୍ଥାକୁ ଅନୁସରଣ କରିଛନ୍ତି ।ଉତର ବଂଗର ପ୍ରାୟ ୨୦ଟି ଗ୍ରାମର ୫୦୦ ରଂଗୀନ ମାଛଚାଷୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେବୋଲି ଆଶା କରାଯାଉଛି ।ସଂପ୍ରସାରଣ ଓ ପରାମର୍ଶ କୈନ୍ଦ୍ରିକ ଏହି କ୍ଷେତ୍ର ବିଦ୍ୟାଳୟକୁ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ଯୁଗ୍ମସଚିବ ଶ୍ରୀ ସାଗର ମେହେରା ଭର୍ଚୁଆଲ ଉଦଘାଟନ କରିଥିଲେ । ଉତରବଂଗର ଉପାନ୍ତ ଅଂଚଳର ମତ୍ସ୍ୟ କୃଷକ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରିବା ପାଇଁ ସିଫାର ଏପ୍ରକାର ଉଦ୍ୟମକୁ ଶ୍ରୀମେହେରା ଭୂୟସୀ ପ୍ରଶଂସା କରିଥିଲେ ।ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଉପସ୍ଥିତ କୃଷକ ଓ ମହିଳା କୃଷିଜୀବିମାନଙ୍କୁ ରଂଗୀନ ମାଛ ଚାଷ କରି ଅଧିକ ଉପାର୍ଜନ କରିବାକୁ ପରାମର୍ଶ ଦେବାସହ ଆଗ୍ରହୀ କୃଷକମାନଙ୍କୁ ସିଫା ତରଫରୁ ସମସ୍ତ ବୈଷୟିକ ପରାମର୍ଶ ଯୋଗାଇ ଦିଆଯିବବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ସିଫା ପ୍ରୟୋଜିତ ଜଳକୃଷି ବିଦ୍ୟାଳୟର ଜନପ୍ରିୟତା ସମ୍ବନ୍ଧରେ ମଧ୍ୟ ଡଃ ସ୍ୱାଇଁ ପ୍ରକାଶ କରିଥିଲେ ।ଏହି ଅବସରରେ ଅଗ୍ରଣୀ ରଂଗୀନ ମତ୍ସ୍ୟଚାଷୀ ତଥା କୃଷକ ବିଦ୍ୟାଳୟର ଅପରେଟର ତଥା ରଂଗୀନ ମାଛଚାଷୀଙ୍କର ରୋଲ ମଡେଲ ଶ୍ରୀ ଭାଗିରଥ ରାୟଙ୍କୁ ଡଃ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ । ପୋଷଣ ଓ ଶରୀର କ୍ରିୟାତତ୍ୱ ବିଭାଗର ମୁଖ୍ୟ ଡଃ ଏସ୍. ଏସ୍. ଗିରି ଗ୍ରାମାଂଚଳର ଜୀବିକା ନିର୍ବାହକୁ ଉନ୍ନତ କରିବାକୁହେଲେ ମାଛଚାଷକୁ ଗୁରୁତ୍ୱ ଦେବାକୁ ପଡ଼ିବବୋଲି କହିଥିଲେ ।ଏହି ଅବସରରେ ଆୟୋଜିତ ଦିନିକିଆ ପ୍ରଶିକ୍ଷଣ ଶିବିର ଶେଷରେ ପ୍ରାୟ ୫୦ଜଣ ତଫସିଲଭୁକ୍ତ ମାଛଚାଷୀଙ୍କୁ ରଂଗୀନ ମାଛ ଜାଆଁଳ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର