ଭୁବନେଶ୍ୱର,୦୭/୦୨/୨୦୨୧ (ଓଡ଼ିଶା ସମାଚାର)- ମହାନଦୀର ଜଳ ବିବାଦକୁ ନେଇ ବହୁ ଆନ୍ଦୋଳନ ପରେ ଶେଷରେ ୧୨ ମାର୍ଚ୍ଚ ୨୦୧୮ରେ ମହାନଦୀ ଟ୍ରିବୁନାଲ ଗଠିତ ହୋଇଥିଲା । ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଗୋଟିଏ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଟ୍ରିବୁନାଲ ୩ ବର୍ଷ ଭିତରେ ବିବାଦର ସମାଧାନ କରିବା ଉଚିତ୍ । ଏହି ଆଇନ୍ କୁ ୨୦୧୯ ମସିହାରେ ସଂଶୋଧିତ ହୋଇଥିଲା ଏବଂ ସେହି ସଂଶୋଧିତ ଆଇନ୍ ରେ ନଦୀ ଟ୍ରିବୁନାଲ ଗୁଡିକ ଗଠିତ ହେବାର ୩ ବର୍ଷ ଭିତରେ ତାଙ୍କର ବିଚାରର ରାୟ ଶୁଣାଇବା ପାଇଁ ନିର୍ଦ୍ଧେଶ ରହିଛି । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବୁନାଲ ତାର ୩ ବର୍ଷ ପୂରଣ କରିବ । ମାତ୍ର ଏହି ସମୟ ଭିତରେ ମହାନଦୀ ଜଳ ବିବାଦ ସମାଧାନର ସେମିତି କିଛି ଆଖି ଦୁଶିଆ ଅଗ୍ରଗତି ହୋଇ ନାହିଁ । ମହାନଦୀ ବଂଚାଅ ଆନ୍ଦୋଳନ ଏଥିରେ ଗଭିର କ୍ଷୋଭ ପ୍ରକାଶ କରୁଛି । ସବୁଠୁ ଦୁର୍ଭାଗ୍ୟ ଏବଂ ପରିତାପର ବିଷୟ ହେଉଛି ଏହି ୩ ବର୍ଷ ଭିତରେ ଓଡିଶା ଟ୍ରିବୁନାଲରୁ କୈାଣସି ଆନ୍ତରିଣ ଆଦେଶ ପାଇ ପାରିଲା ନାହିଁ । ଛତିଶଗଡ ମହାନଦୀ ଉପରେ ଯେଉଁ ବେଆଇନ୍ ପ୍ରକଳ୍ପ, ବନ୍ଧ, ବ୍ୟାରେଜ ଇତ୍ୟାଦି କରୁଛି, ତାଉପରେ ରୋକ ଲଗାଇବା ପାଇଁ ଯେଉଁ ଅନ୍ତରିଣ ଆଦେଶ ଟ୍ରିବୁନାଲ ପାଖରୁ ଆଶା କରାଯାଉଥିଲା ତାହା ମଉଳି ଯାଇଛି । ଫଳରେ ଓଡିଶାର ସ୍ୱାର୍ଥ ଉପେକ୍ଷିତ ହେବା ସହିତ ମହାନଦୀକୁ ନ୍ୟାୟ ବର୍ତମାନ ପର୍ଯ୍ୟନ୍ତ ମିଳି ପାରି ନହିଁ । ମହାନଦୀ ବଂଚାଅ ଆନ୍ଦୋଳନ ଏହାକୁ ଗମ୍ଭୀରତାର ସହିତ ନେଇଛି ଏବଂ ଏଥିରେ ଉଦବେଗ ପ୍ରକାଶ କରୁଛି । ଟ୍ରିବୁନାଲର ଆଜି ୧୯ ତମ ଶୁଣାଣିଥିଲା । ପରବର୍ତି ଶୁଣାଣି ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ହେବାର ନିଷ୍ପତି ହୋଇଛି । ଅର୍ଥାତ୍ ନିର୍ଦ୍ଧାରିତ ୩ ବର୍ଷ ସମୟ ସୀମା ପରେ ହିଁ ପରବର୍ତି ଶୁଣାଣି ହେବ । ଆଇନ ମୁତାବକ ୩ ବର୍ଷରେ ଟ୍ରିବୁନାଲ୍ ଚୁଡାନ୍ତ ରାୟ ଦେଇ ନପାରିଲେ ଆଉ ଦୁଇ ବର୍ଷ ପାଇଁ ସମୟ ସୀମାକୁ ପରିବର୍ଦ୍ଧିତ କରାଯିବ । ଆଜିର ଶୁଣାଣି ସମୟରେ କମନ୍ ଇନଫରମେସନ ଫରମାଟ୍ ମଧ୍ୟ ଚୁଡାନ୍ତ ହୋଇ ପାରିଲା ନାହିଁ । ଏହି କମନ୍ ଇନଫରମେସନ ଫରମାଟ୍ ରେ ୬୧ଟି ବିଷୟ ବା ଦିଗ ରହିଛି, ଯାହା ଉପରେ ଡାଟା ବା ତଥ୍ୟ ସଂଗ୍ରହ ହେବ । କାବେରୀ ବା କ୍ରିଷ୍ମା ଟ୍ରିବୁନାଲ ୮ ଟି ବିଷୟରେ କମନ୍ ଇନଫରମେଶନ୍ ଫରମାଟ ପ୍ରସ୍ତୁତ କରି ସେଥିରେ ଡାଟା ସଂଗ୍ରହ କରି ତାଙ୍କର ରାୟ ପ୍ରକାଶ କରିଥିଲେ । ତାକୁ ବିଚାରକୁ ନେଲେ ମହାନଦୀ ଟ୍ରିବୁନାଲ ଯେଉଁ ଇନଫରମେସନ ଫରମାଟ ଚୁଡାନ୍ତ କରିବାକୁ ଯାଉଛନ୍ତି, ସେଥିରେ ତଥ୍ୟ ସଂଗ୍ରହ କରିବା ସମୟ ସାପେକ୍ଷ । ତେଣୁ ଆସନ୍ତା ୨ ବର୍ଷରେ ଯେ ଟ୍ରିବୁନାଲ ତାର ଚୁଡାନ୍ତ ରାୟ ପ୍ରକାଶ କରିପାରିବ, ସେଥିରେ ସନ୍ଦେହ ପ୍ରକାଶ କରିବାର ଯଥେଷ୍ଟ ଅବକାଶ ରହିଛି ବୋଲି ମହାନଦୀ ବଂଚାଅ ଆନ୍ଦୋଳନ ଅନୁଭବ କରେ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହାନଦୀ ବଂଚାଅ ଆନ୍ଦୋଳନ ତାର ଦୀର୍ଘ ଆନ୍ଦୋଳନ ଫଳରେ ମହାନଦୀ ଟ୍ରିବୁନାଲ ଗଠିତ ହୋଇଛି ହୋଇଥିଲା । ମାତ୍ର ଟ୍ରିବୁନାଲ ତାର ୩ ବର୍ଷର କାର୍ଯ୍ୟକାଳ ପୁରଣ କରି ସାରିଥିବା ବେଳେ, ସେଥିରୁ କୈାଣସି ଫଳ ନମିଳିବାରୁ ମହାନଦୀର ସୁରକ୍ଷା ଓ ଓଡିଶାର ସ୍ୱାର୍ଥ ପାଇଁ ମହାନଦୀ ବଂଚାଅ ଆନ୍ଦୋଳନ ପୁଣିଥରେ ତାର ଆନ୍ଦୋଳନ ଆରମ୍ଭ କରିବ । ମହାନଦୀ ପାଇଁ ରାଜ୍ୟ ସରକାର ଯେଉଁ ଦୃଷ୍ଟି ଦେବା କଥା ସେଥିରେ ଚରମ ଅବହେଳା ପରିଲକ୍ଷିତ ହୋଇଛି । ସବୁଜ ମହାନଦୀ ମିଶନ ଧୂଆଁ ବାଣରେ ପରିଣତ ହୋଇଛି । ହିରାକୁଦ ତଳ ମୁଣ୍ଡରେ ମହାନଦୀ ଜଳ ସଂରକ୍ଷଣ କେବଳ ବିବୃତିରେ ରହିଯାଇଛି । ମହାନଦୀ ଜଳକୁ ପ୍ରଦୂଷଣରୁ ମୁକ୍ତ କରିବା ଏବଂ ମହାନଦୀର ଜମିକୁ ଜବର ଦଖଲରୁ ମୁକ୍ତ କରିବା ରେ ସରକାର ଚରମ ବିଫଳତା ଦେଖାଇଛନ୍ତି । ଏହା ବିରୁଦ୍ଧରେ ମହାନଦୀ ବଂଚାଅ ଆନ୍ଦୋଳନ ତାର କାର୍ଯ୍ୟକ୍ରମକୁ ବ୍ୟାପକ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଂଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ଶ୍ରୀ ବାସୁଦେବ ଭଟ୍ଟ, ଉପଦେଷ୍ଠା ଇଂ ଲଳିତ ମୋହନ ପଟ୍ଟନାୟକ, ପ୍ରବକ୍ତା ଶ୍ରୀ ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ନିରଦ ବରନ ଖୁଂଟିିଆ, ଏବଂ ଅଶୋକ ପାଇକରାୟ ପ୍ରମୁଖ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର