Monday , March 27 2023
Breaking News
Home / କୃଷି / କୃଷକ ଆନ୍ଦୋଳନ ସମର୍ଥନରେ ‘ଚକାଜାମ୍’ ଆନ୍ଦୋଳନ ଓଡ଼ିଶାରେ ସଫଳ

କୃଷକ ଆନ୍ଦୋଳନ ସମର୍ଥନରେ ‘ଚକାଜାମ୍’ ଆନ୍ଦୋଳନ ଓଡ଼ିଶାରେ ସଫଳ

ଭୁବନେଶ୍ୱର, ୦୭/୦୨/୨୦୨୧ (ଓଡ଼ିଶା ସମାଚାର)- କଳା କୃଷି ଆଇନର ପ୍ରତ୍ୟାହାର ଦାବି କରି ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ଏବଂ ଅନ୍ନଦାତାଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅମାନବୀୟ ଆଚରଣର ପ୍ରତିବାଦରେ ମିଳିତ କୃଷକ ସଂଘର୍ଷ ସମନ୍ୱୟ ସମିିତି ପକ୍ଷରୁ ଦିଆଯାଇଥିବା ଦେଶବ୍ୟାପୀ ‘ଚକା ଜାମ୍’ ଆନ୍ଦୋଳନ ଆହ୍ୱାନ ଓଡ଼ିଶାରେ ସମ୍ପୂର୍ଣ୍ଣ ସଫଳ ହୋଇଛି । ସମଗ୍ର ରାଜ୍ୟରେ ଏହି ଆନ୍ଦୋଳନରେ ଚାଷୀ ଓ ମୂଲିଆଙ୍କ ସହିତ ଶ୍ରମିକ ଶ୍ରେଣୀ ଏବଂ ଛାତ୍ର, ଯୁବକ ଓ ମହିଳାମାନେ ମଧ୍ୟ ସାମିଲ୍ ହୋଇଛନ୍ତି ।
ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାନଟିନ୍ ଠାରେ କୃଷକ ସଂଘର୍ଷ ସମିତି ପକ୍ଷରୁ ରାସ୍ତାରୋକୋ ଆନ୍ଦୋଳନରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ଓଡ଼ିଶା କୃଷକ ସଭାର ସମ୍ପାଦକ ସୁରେଶ ପାଣିଗ୍ରାହୀ ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଧନ ପତି ଉଦବୋଧନ ଦେଇ କୃଷକମାନେ ଅନ୍ନଦାତା ଦେଶର ଶତ୍ରୁ ନୁହନ୍ତି; ସେମାନଙ୍କ ବିରୁଦ୍ଧରେ କଂଟା ପୋତି, କଂକି୍ରଟ୍ ତାରବାଡ଼ ଲଗାଇବା, ବିଜୁଳି ଓ ପାଣି କାଟିବା ଭଳି ଅମାନବୀୟ ଆଚରଣ କର ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଜଣାଇ ସମସ୍ତ ରାଜ୍ୟବାସୀ ଏହି ଆନ୍ଦୋଳନ ପଛରେ ଛିଡ଼ା ହେବା ପାଇଁ ନିବେଦନ କରିଥିଲେ । ସେଠାରେ ପୋଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡି, ଏଆଇଟିୟୁସି ରାଜ୍ୟ ସମ୍ପାଦକ କିଶୋର ଜେନା, କୃଷକ ନେତା ନୃସିଂହ ବେହେରା ଓ ଶ୍ରମିକ ନେତା ଜୟନ୍ତ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।
ସେହିଭଳି ଭାରତୀୟ କ୍ଷେତ ମଜଦୁର ୟୁନିୟନ ବା ବିକେଏମୟୁ ପକ୍ଷରୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକୋ କରାଯିବା ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା ।
ଓଡ଼ିଶାରେ ଏହି ଚକା ଜାମ୍୍ ଆନ୍ଦୋଳନ ସଫଳ ହୋଇଥିବା ଯୋଗୁ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.