ପାରାଦୀପ , ୦୫/୦୨/୨୦୨୧ (ଓଡ଼ିଶା ସମାଚାର)-ପାରାଦୀପଗଡ ଗ୍ରାମର ଦଳେଇ ସାହିରେ ଜଣେ ୱାରେଂଟି ଆସାମୀକୁ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପାରାଦୀପ ଅଭୟଚାନ୍ଦପୁର ପୋଲିସ୍ । ଏହି ଆକ୍ରମଣରେ ଜଣେ ଏସଆଇଙ୍କ ସମେତ ୪ଜଣ ପୋଲିସ୍ କର୍ମୀ ଆହାତ ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ସୁଚନା ସୁତାବକ ପାରାଦୀପଗଡ ଦଳେଇ ସାହିର ତ୍ରିନାଥ ଦଳେଇ ନାମରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା ଏବଂ ସେ ଦୀର୍ଘ ଦିନ ହେବ ଫେରାର୍ ଥିଲା । ମାତ୍ର ଗୁରୁବାର ତ୍ରିନାଥ ଗ୍ରାମକୁ ଆସିଥିବା ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ଏସଆଇ ଆଶୁତୋଷ ହୋତାଙ୍କ ନେତୃତ୍ୱରେ ଏକ ଟିମ୍ ଗ୍ରାମରେ ଚଢାଉ କରି ଏକ କ୍ଲବ ନିକଟରୁ ତାକୁ ଗିରଫ କରି ଗାଡିରେ ବସାଇବା ବେଳେ ହଠାତ୍ ଗ୍ରାମର କିଛି ଯୁବକ ପୋଲିସ୍ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ଏସଆଇ ଆଶୁତୋଷ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଆହାତ ହେବା ସହିତ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହା ପରେ ପାରାଦୀପ ଏଏସ୍ପି ନିମାଇଁ ଚରଣ ସେଠୀଙ୍କ ନେତୃତ୍ୱରେ ଅଭୟଚାନ୍ଦପୁର ଥାନା ଆଇଆଇସି ଯୁଗଳ କିଶୋର ଦାସ, ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲ, ଲକ୍ ଥାନା ଆଇଆଇସି ପ୍ରଭାସ ସାହୁ ସହିତ ଦୁଇ ପ୍ଲାଟୁନ୍ ଫୋର୍ସ ସମ୍ପୃକ୍ତ ଗ୍ରାମରେ ପହଂଚି ଆକ୍ରମଣରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରିଥିଲେ ଏବଂ ଗ୍ରାମକୁ କର୍ଡନ କରାଯାଇ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜାଖୋଜି କରି ନ ମିଳିବାରୁ ଧରାପଡି ଥିବା ୭ଜଣଙ୍କୁ କୋର୍ଟ ଚାଲାଣ୍ କରାଯାଇଛି । ତେବେ ଯେଉଁମାନେ ଆଇନ୍ କୁ ନିଜ ହାତକୁ ନେଇଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସ୍ଥାନୀୟ ଅଂଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ୍ ଫୋର୍ସ ନିୟୋଜିତ ହୋଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର