କେନ୍ଦ୍ରାପଡା, ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଝିଆରୀ ଅପରାଜିତା ବେହେରାଙ୍କ ମୋବାଇଲ ଚୋରୀ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଗତ ୨୦୨୦ମସିହା ଡିସେମ୍ବରମାସ ୧ତାରିଖରେ ଅପରାଜିତା ତୁଳସୀ ମହିଳା କଲେଜ ସମ୍ମୁଖରେ ଏକ ଚାଟ୍ ଦୋକାନରେ ଚାଟ୍ ଖାଉଥିବା ବେଳେ ତାଙ୍କ ଲେଡିଜପର୍ସଟି ସେହି ଚାଟଦୋକାନରେ ରଖିଦେଇଥିଲେ । ସେହି ପର୍ସ ଭିତରେ ଏକ ମୋବାଇଲ ଫୋନ ସମେତ ଆଧାରକାର୍ଡ, ଭୋଟ ପରିଚୟପତ୍ର, ପ୍ୟାନକାର୍ଡ ପ୍ରଭୃତି ଥିଲା । ଚାଟ ଖାଇବା ପରେ ଦେଖିଲା ବେଳକୁ ଆଉ ପର୍ସଟି ସେଠାରେ ନଥିଲା । ଏସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ପରେ ୨୦୭/୨୦୨୦ରେ ଏକ ଚୋରୀ ମାମଲା ରୁଜୁ କରାଯାଇ ତଦନ୍ତ ଭାର ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ସଂପୃକ୍ତ ଚୋରୀ ମୋବାଇଲର ଆଇ.ଏମ.ଇ.ଆଇ.କୁ ସର୍ଚ୍ଚ କରାଯିବାରେ ସଂପୃକ୍ତ ଚୋରୀ ମୋବାଇଲଟି ପାଟକୁରା ଥାନା ଅନ୍ତର୍ଗତ ଭୁଷରଙ୍ଗ ଗ୍ରାମର ଝରେନ୍ଦ୍ର ସୁତାରଙ୍କ ପୁଅ ମୀଲନ ସୁତାର ବ୍ୟବହାର କରୁଥିବା ଜଣାପଡିଥିଲା । ତେଣୁ ଅଭିଯୁକ୍ତ ମୀଲନ ସୁତାର(୨୨)କୁ ଟାଉନ ଥାନାର ଏସ.ଆଇ. ଶ୍ରୀ ବିଶ୍ୱାଳ ଗିରଫ କରି ତା’ ନିକଟରୁ ସମସ୍ତ ଚୋରୀ ଜିନିଷ ଜବତ କରିବା ସହିତ ତାକୁ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର