ପାରାଦୀପ ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପରେ ଥିବା ଭାରତୀୟ ତଟରକ୍ଷୀ ବାହିନୀ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ଅତିକ୍ରମ କରିବାର ପରିଣାମ ବିଷୟରେ ମତ୍ସ୍ୟଜୀବୀ, ମତ୍ସ୍ୟ କର୍ତୃପକ୍ଷ ଏବଂ ସାମୁଦ୍ରିକ ପୋଲିସକୁ ମୁଲ୍ୟାଙ୍କନ କରିବା ପାଇଁ ଏକ ସ୍ୱତନ୍ତ୍ର ସଚ୍ଚେତନତା ଅଭିଯାନ କରାଯାଇଥିଲା । ଜାନୁଆରୀ ଶେଷ ସପ୍ତାହରେ ବାଙ୍ଗଲାଦେଶ ତଟରକ୍ଷୀ ବାହିନୀ ଦୁଇଟି ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗାକୁ ଧରିଥିଲା । ରିପୋର୍ଟ ଅନୁଯାୟୀ ଅନେକ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ନେଇ ମାଛ ଧରିବା ପାଇଁ ବାଙ୍ଗଲାଦେଶ ଜଳସୀମା ମଧ୍ୟକୁ ଯାଇଛନ୍ତି । ଯଦିଓ ବାଙ୍ଗଲାଦେଶ ତଟରକ୍ଷୀ ବାହିନୀ ଦ୍ୱାରା ଧରାଯାଇଥିବା ଡଙ୍ଗା ପଶ୍ଚିମବଙ୍ଗର ଥିଲା, ତଥାପି ଓଡିଶାରୁ ମତ୍ସ୍ୟଜୀବୀମାନେ ବୈଦେଶିକ ଜଳସୀମାକୁ ଯାଇ ମାଛ ନ ଧରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତଟରକ୍ଷୀ ବାହିନୀର ଅଧିକାରୀ, ମେରାଇନ୍ ପୋଲିସ୍, ମତ୍ସ୍ୟଜୀବୀମାନେ ଯୋଗ ଦେଇଥିଲେ । ପାରାଦୀପ ମାଛଧରା ବନ୍ଦର ପ୍ରଶାସନିକ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାରତୀୟ ତଟରକ୍ଷୀ ବାହିନୀ ଜିଲ୍ଲା ମୁଖ୍ୟାଳୟ-୭ର ଅଧିକାରୀମାନେ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର