ଗରଦପୁର, ୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ୨୦୧୮ ମସିହା ମେଁ ମାସ ୫ ଓ ୬ ତାରିଖରେ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବାତ୍ୟା ବିତପାତ ସୃଷ୍ଟି ହୋଇଥିଲା । କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ୍ ରେ ମୁଗ ଓ ସୂର୍ଯ୍ୟମୁଖୀ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲାବେଳେ କେତେକ ସ୍ଥାନରେ ରାସ୍ତା ଧୋଇ ଯାଇଥିଲା କିଛି ଲୋକଙ୍କ ଘର କାନ୍ଥ ଭୁଷୁଡ଼ି ପଡ଼ିଥôଲା । କେତେକ ଲୋକଙ୍କର ଗୁହାଳ ଘର ଭୁଲୁଡ଼ି ପଡ଼ିବାରୁ ଗୃହପାଳିତ ଗୋ ସମ୍ପଦର ମୃତ୍ୟୁ ହୋଇଥିଲା । କ୍ଷୟ କ୍ଷତି ଭରଣା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ । ଗରଦପୁର ବ୍ଲକ୍ ରେ ୩୮ ଜଣ ନାମମାତ୍ର , କ୍ଷୁଦ୍ର ଗୋ ପାଳନ ଚାଷୀଙ୍କର ଗୋରୁ ଗାଈ ପ୍ରବଳ ବର୍ଷା ବିତପାତରେ ମୃତ୍ୟୁ ବରଣ କରିଥିବା ରିପୋର୍ଟ ହୋଇଥିଲା । ବିଭାଗୀୟ ତଦନ୍ତ କରାଯାଇ କ୍ଷୟକ୍ଷତି ଆକଳନ ରିପୋର୍ଟ କରାଯାଇଥିଲା । କିନ୍ତୁ ଆଜିସୁଦ୍ଧା ସେହି ୩୮ ଜଣ ଗୋ ପାଳନ ଚାଷୀ ମାନଙ୍କୁ ସରକାରୀ ସହାୟତା ମିଳିପାରିନାହିଁ । ଏହି ଚାଷୀମାନେ ବାରମ୍ବାର ଗରଦପୁର ବ୍ଲକ୍ ପ୍ରାଣୀ ଚିକିତ୍ସା କେନ୍ଦ୍ର , ତହସିଲ କାର୍ଯ୍ୟାଳୟ , କେନ୍ଦ୍ରାପଡ଼ା ଜରୁରୀ କାଳିନ ବିଭାଗ ଓ ଜିଲାପାଳଙ୍କ ପାଖକୁ ବହୁବାର ଦୌଡ଼ି ଦୌଡ଼ି ନିରାଶ ହେଲେଣି । ପ୍ରତିଥର ଅଧିକାରୀମାନଙ୍କ ପକ୍ଷରୁ ଚାଷୀମାନଙ୍କୁ ସହାୟତା ରାଶି ମିଳିବାର ପ୍ରତିଶୃତି ଦିଆଯାଉଥିଲେ ମଧ୍ୟ ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇନାହିଁ । ଏପରିକି ଚାଷୀମାନେ କ୍ଷୟକ୍ଷତି ଦାବି କରି କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଗତ ସପ୍ତାହରେ ନୋଟିସ ଦେଇଥିଲେ । ହେଲେ ଜିଲାପାଳଙ୍କ ତରଫରୁ ବିଭାଗୀୟ ଅଧିକାରୀ ଡ଼େପୁଟି କଲେକ୍ଟର (ଜରୁରୀ ) ବିଭାଗର ସମ୍ବିତ ସତପଥି ଚାଷୀମାନଙ୍କ ର ଦାବି ସମ୍ପର୍କରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବାର ପ୍ରତିଶୃତି ଦେବାରୁ ଚାଷୀମାନେ ଅନାନରୁ ନିବୃତ ରହିଥିଲେ ।
ଏସବୁ କୁ ବିଚାରକୁ ନେଇ ଗରୀବ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ପୁନର୍ବାର ଗୋ ସମ୍ପଦ ସୃଷ୍ଟି କରିବାରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରୁବୋଲି କ୍ଷତିଗ୍ରସ୍ତ ଚାଷୀ ଗରଦପୁର ଗ୍ରାମର ଅରୁଣ କୁମାର ପଣ୍ଡା,ଶ୍ରୀଧର ରାଉତ, ରାମଚନ୍ଦ୍ର ଖୁଂଟିଆ,ସୀତା ମଳିକ,ସୁରେଶ ଚନ୍ଦ୍ର ଦାସ,ଆଶୁତୋଷ ଦାସ, ନଗେନ୍ଦ୍ର ନାଥ ଦାସ,ତ୍ରିନାଥ ମହାରଣା,ଅଲେଖ ବେହେରା, ମନୋଜ ମଳିକ,ନିତ୍ୟାନନ୍ଦ ପଣ୍ଡା,ସୁକାନ୍ତ ଭୋଳ,ସୁଲୋଚନା ରାଉତ,ସୁଧାକର ମହାନ୍ତି ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର