ତିର୍ତୋଲ,୦୨/୦୨/୨୦୨୧ (ଓଡ଼ିଶା ସମାଚାର)- ତିର୍ତୋଲ ଥାନା ଅଧିନସ୍ଥ କୃଷ୍ଣାନନ୍ଦପୁର ଠାରେ ଏକ ପୋଲିସ ଆଉଟପୋଷ୍ଟ ରହିଛି । ୨୦୦୪ ମସିହା ନଭେମ୍ବର ୨୨ ତାରିଖରେ ଏହାର କାର୍ଯ୍ୟାଳୟ ର ନୂତନ ଗୃହକୁ କେନ୍ଦ୍ରାଂଚଳ ଡ଼ିଆଇଜି ସତ୍ୟଜିତ ମହାନ୍ତି ଉଦଘାଟନ କରିଥିଲେ । ଇତି ମଧ୍ୟରେ ପ୍ରାୟ ୧୫ ବର୍ଷ ଅତିକ୍ରମ ହୋଇସାରିଛି । ଏହା ଏକ ସମ୍ବେଦନଶୀଳ ଅଂଚଳ । ଥାନା ଠାରୁ ପ୍ରାୟ ୨୫ କିମି ଦୂରରେ ଅବସ୍ଥିତ ଓ ମହାନଦୀ – ପାଇକା ର ଦୋଆବ ଅଂଚଳ ହୋଇଥିବାରୁ ଓ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ର ସାମ୍ନା କରିବା ପାଇଁ ଏହାକୁ ଏକ ଥାନା ରେ ପରିଣତ କରିବା ପାଇଁ ଚିନ୍ତା କରାଯାଇଥିଲା । ଏହାକୁ ଫଳପ୍ରସୁ କରିବା ପାଇଁ ଏହାର ନୂତନ କାର୍ଯ୍ୟାଳୟ ଗୃହ, କର୍ମଚାରୀ ମାନଙ୍କ ପାଇଁ ଷ୍ଟାଫ କ୍ୱାର୍ଟର ମଧ୍ୟ ନିର୍ମାଣ କରାଯାଇଛି । ଗତ ୨୦୧୭ ମସିହା ସେପ୍ଟେମ୍ବର ପହିଲାରେ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଜେଏନ ପଙ୍କଜ ଓ ସେଂଟ୍ରାଲ ରେଂଜ ଆଇଜି ସୌମେନ୍ଦ୍ର ପି୍ରୟଦର୍ଶୀ ଙ୍କ ଉପସ୍ଥିତିରେ ସ୍ଥାନୀୟ ବିଧାୟିକା ଡ଼ ରାଜଶ୍ରୀ ମଲିକ ଏହି ନୂତନ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଷ୍ଟାଫ କ୍ୱାର୍ଟର କୁ ଉଦଘାଟନ କରିଥିଲେ । ଏଠାରେ ବର୍ତମାନ ମାତ୍ର ଜଣେ ଏସଆଇ, ଦୁଇଜଣ କନେଷ୍ଟବଳ କାର୍ଯ୍ୟ କରୁଛନ୍ତି । ଯେଉଁ ଦୁଇ ଜଣ କନେଷ୍ଟବଳ କାର୍ଯ୍ୟକରୁଛନ୍ତି, ସେମାନେ ଅବସରଗ୍ରହଣ କରିବାକୁ ଆଉ ମାତ୍ର କେତେଦିନ ବାକି ଅଛି । ଏହି ସ୍ୱଳ୍ପ ତଥା ଅବସର ଗ୍ରହଣ କରିବାକୁ ଥିବା କନେଷ୍ଟବଳ ଦୁଇ ଜଣଙ୍କୁ ନେଇ କି କାର୍ଯ୍ୟ କରାଯାଇପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହା ଏକ ସମ୍ବେଦନଶୀଳ ଅଂଚଳ । ପୂର୍ବରୁ ଏହି ଅଂଚଳରେ ଆଇନ କାନୁନ , ଶୃଙ୍ଖଳା ଭଂଗ ଭଳି ଘଟଣା ଘଟିଥିବା ନଜିର ରହିଛି । କେତେବେଳେ କେଉଁ ପରିସ୍ଥିତିକୁ ମୁକାବିଲା କରିବାକୁ ପଡ଼ିପାରେ, ତାହା ମଧ୍ୟ କହିବା ସମ୍ଭବ ନୁହେଁ । ତେଣୁ ଏହି କୃଷ୍ଣାନନ୍ଦପୁର ପୋଲିସ ଆଉଟପୋଷ୍ଟ କୁ ଥାନା ରେ ପରିଣତ କରିବା ପାଇଁ ଅଂଚଳରୁ ସେକ ରିଜୁଆନ ଅଲୀ, ସେକ ଜହୁର ମହମ୍ମଦ, ସେକ ମନୋଅର ଅଲୀ, ମହମ୍ମଦ ଅଜମେର ଆଲାମ, ବିଚିତ୍ରାନନ୍ଦ ସାହୁ, ବିପିନ ବିହାରୀ ସାହୁ ,ସେକ ସଲମାନ ଅଲୀ, ସରପଂଚ ଗୋଲକ ନାରାୟଣ ଜେନା, ପୂର୍ବତନ ସରପଂଚ ଅବଦୁଲ ୱାହିଦ, ମହମ୍ମଦ ପରଭିଜ ଆଲାମ, ମହମ୍ମଦ ଇସମାଇଲ, ଅବଦୁଲ ରସିଦ ଖାଁ, ସର୍ଦ୍ଧାର ଅବଦୁଲ ମେଅଜୁଦ ଅଲୀ ଖାଁ ପ୍ରମୁଖ ଦାବି କରିବା ସହିତ ଆବଶ୍ୟକ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରାଯାଇଛି । ଏଥିପ୍ରତି ଜଗତସିଂହପୁର ଜିଲାପାଳ, ଏସପି ଓ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଓଡ଼ିଶା ସମାଚାର