Sunday , April 2 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପ୍ରସିଦ୍ଧ ଓଳାଶୁଣୀ ମେଳା, ରୋକ ଲଗାଇଛି ପ୍ରଶାସନ, ନିଷ୍ପତିର ପୁନର୍ବିଚାର ପାଇଁ ଦାବି

ପ୍ରସିଦ୍ଧ ଓଳାଶୁଣୀ ମେଳା, ରୋକ ଲଗାଇଛି ପ୍ରଶାସନ, ନିଷ୍ପତିର ପୁନର୍ବିଚାର ପାଇଁ ଦାବି

ମାହାଙ୍ଗା,୦୧/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଚଳିତ ବର୍ଷ କୋଭିଡ କଟକଣା ପାଇଁ ବନ୍ଦ ରହିବ ଓଳାଶୁଣୀ ଗୁମ୍ଫା ଯାତ୍ରା । ଏଭଳି ନିଷ୍ପତିକୁ ନେଇ ଭକ୍ତ ଅସନ୍ତୋଷ । ସନ୍ଥ ଅରକ୍ଷୀତ ଦାସଙ୍କ ମହାପ୍ରୟାଣ ତିଥିରେ ଆଉ ଲାଗିବନି ଗହଳ ଚହଳ । ମହାପୁରୁଷଙ୍କ ନିତି କାନ୍ତିରେ ସୀମିତ ରହିଯିବ ଚଳିତ ବର୍ଷର ଓଳାଶୁଣୀ ମେଳା !
ତେବେ ସରକାର ପୂର୍ବ ନିଷ୍ପତିର ପୁନର୍ବିଚାର କରନ୍ତୁ ଏବଂ ଓଳାଶୁଣୀ ମେଳା ପାଇଁ ଅନୁମତି ଦିଅନ୍ତୁ ବୋଲି ଦାବି ଯୋର ଧରିଛି ।

ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଏହି ୩ ଜିଲ୍ଲାର ସଙ୍ଗମ ସ୍ଥଳୀ ଓଳାଶୁଣୀ । ଓଳାଶୁଣୀ ଗୁମ୍ଫାକୁ ଆଜି ସାରା ଦେଶରେ ବେଶ ପ୍ରସିଦ୍ଧି ଆଣିଦେଇଥିବା ସେହି ସନ୍ୟାସୀ ଜଣକ ଥିଲେ ବଡ ଖେମୁଣ୍ଡି ବିଜୟନଗରମ ଗଡର ରାଜା ପଦ୍ମନାଭ ଦେବଙ୍କ ପୁତ୍ର ବଳଭଦ୍ର ଦେବ । ଯିଏ ରାଜ ସିଂହାସନକୁ ତୁଚ୍ଛକରିବାର ଚରମ ନିଷ୍ପତି ନେଇଥିଲେ ଓ ପରବର୍ତ୍ତୀ ସମୟରେ ସନାତନ ଧର୍ମର ମହାନ ସାଧକ ସନ୍ଥ ଅରକ୍ଷୀତ ଦାସ ନାମରେ ବେଶ ସୁଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି ।

୧୭୭୨ ରୁ ୧୮୩୭, ଏହାରି ଭିତରେ ଜଣେ ରାଜାପୁଅ ସନ୍ଥ ପାଲଟି ଯିବାର ମହାର୍ଘ୍ୟ ଗାଥା ଆମକୁ ଅନେକ ଶିକ୍ଷା ଦେଇପାରିଛି । ଦିନଥିଲା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ, ମଣିଷପଣିଆର ଜୟଗାନରେ ଜନ ପଦରୁ ଗିରି କନ୍ଦର ପର୍ୟ୍ୟନ୍ତ ତାଙ୍କରି ଦିବ୍ୟବାଣୀ ନିନାଦିତ ହୋଇଉଠୁଁଥିଲା ।
ସେହି ମହାନ ସନ୍ଥଙ୍କ ମହାଲୀନ ତିଥିକୁ ଉଦ୍ଜୀବିତ ରଖିବା ପାଇଁ ପ୍ରତିବର୍ଷ ତା’ଙ୍କରି ସାଧନା ପୀଠରେ “ଓଳାଶୁଣୀ ମେଳା” ଆୟୋଜିତ ହୋଇଥାଏ । ବାସ୍ତବରେ ସନ୍ଥ ଅରକ୍ଷୀତ ଥିଲେ ଜଣେ ବ୍ରହ୍ମଜ୍ଞାନୀ । ସେ ଥିଲେ ତ୍ରିକାଳଦର୍ଶୀ ଓ ଆଧ୍ୟାତ୍ମିକ ସାହିତ୍ୟର ଧୂରୀଣ ସ୍ରଷ୍ଟା କ୍ଷ “ମହୀମଣ୍ଡଳ ଗୀତା” ତା’ଙ୍କର ଅନବଦ୍ୟ କୃତୀ । ତାଳପତ୍ରରେ ସେ ଲେଖିଯାଇଥିବା ଶହଶହ ଭଜନ, ଜଣାଣ,ବ୍ରହ୍ମଜ୍ଞାନ ସମ୍ବଳିତ ଆଧ୍ୟାତ୍ମିକ ରଚନା ଭିତରେ ଜୀବନର ଗୁଢତତ୍ୱ, ଯୁଗ ଯୁଗଧରି ଗୋଟାଏ ଜାତିକୁ ନୈତିକତା ଓ ଈଶ୍ୱରୀୟ ଚେତନାରେ ଉଦବୁଦ୍ଧ କରିଛି । ସତ୍ୟ ଦୟା ଓ କରୁଣାର ବାର୍ତ୍ତା ପ୍ରଚାର କରୁଥିବା ସେହି ସନ୍ଥ ଅରକ୍ଷିତଙ୍କ ଜୀବନବ୍ୟାପୀ ସାଧନା, ଆଜିବି’ ପଞ୍ଚଗିରି ମଣ୍ଡଳରେ ନିନାଦିତ ହୁଏ । ଜଗତର କଲ୍ୟାଣପାଇଁ ରାଜସୁଖ ତ୍ୟାଗ କରିଥିବା ଏହି ମହାନ ସନ୍ଥଙ୍କ ଜୀବନଯାତ୍ରା ଥିଲା ଅନେକ ଚମକପ୍ରଦ ।
ଲୋଭ ମୋହ ମାୟାକୁ ପରିହାର କରି, ଭଗବତ ଚେତନା ଭିତରେ ଲ୍ଲୀନ ହୋଇଯାଇଥିବା ଜଣେ ରାଜପୁତ୍ରଙ୍କ ଅସାଧାରଣ ପ୍ରତିଭା ଆଜିବି ଏ ଜାତିକୁ ଗର୍ବିତ କରେ । ମାଘ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଫେବୃଆରୀ ୭ ତାରିଖ ସେହି ମହାନ ସନ୍ଥଙ୍କ ବ୍ରହ୍ମଲୀନ ଦିବସ ଠାରୁ ୨ ସପ୍ତାହ ବ୍ୟାପୀ “ଓଳାଶୁଣୀ” ପୀଠରେ ଏକ ବିରାଟ ମେଳା ଅନୁଷ୍ଠିତ ହୁଏ । ଏବର୍ଷ କିନ୍ତୁ “ଓଳାଶୁଣୀ ମେଳା” ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁ ମାନେ ନିରାଶ ହୋଇପଡିଛନ୍ତି ।

ପୋଡପିଠା ସାଙ୍ଗକୁ କାଞ୍ଜିପାଣି ଓ ଶୁଖୁଆ ଭୋଗ ଦେବୀ ଓଳାଶୁଣୀଙ୍କୁ ଲାଗିହୁଏ । ଦୂର ଦୂରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟି ଆସନ୍ତି ଏହି ମେଳାକୁ । କୁହାଯାଏ ଏହି କାଞ୍ଜିପାଣି ପାନକଲେ ବହୁ ଦୁରାରୋଗ୍ ରୁ ମୁକ୍ତିମିଳେ । ମା’ ଓଳାଶୁଣୀଙ୍କ ବିଜେସ୍ଥଳୀ, ସନ୍ଥ ଅରକ୍ଷୀତଙ୍କ ପାଦୁକା ମଣ୍ଡପ, ଝୁଲଣ ମଣ୍ଡପ, ଯଜ୍ଞ ଗୃହ,ବ୍ୟାସ ଓ ଜଗନ୍ନାଥ ମନ୍ଦିର,ଏହି ପବିତ୍ର ପୀଠକୁ ଭକ୍ତ ମାନଙ୍କୁ ଆକର୍ଷିତ କରିଥାଏ । ପ୍ରତିବର୍ଷ ମେଳା ସମୟରେ ଭଳିକି ଭଳି ଦୋକାନ ବଜାର ଲାଗିରହେ । ମେଳାର ଆନନ୍ଦ ଭିତରେ ଶ୍ରଦ୍ଧାଳୁମାନେ ସେମାନଙ୍କମନ ପସନ୍ଦର ସାମଗ୍ରୀ କିଣି ନିଅନ୍ତି । ସେମାନଙ୍କର ଭଲ ୨ ପଇସା ରୋଜଗାରବି’ ହୋଇଯାଏ ।

ଖଣ୍ଡଗିରି ମେଳା କୁହନ୍ତୁ କିମ୍ବା କୁମ୍ଭମେଳା କୁହନ୍ତୁ – ଏସବୁ ମେଳା ପାଇଁ ପ୍ରଶାସନିକ ଅନୁମତି ଥିବାବେଳେ, “ଓଳାଶୁଣୀ ମେଳା”କୁ ସରକାରଙ୍କ ଅନୁମତି ମନା । ଓଳାଶୁଣୀ ମେଳା ଉପରେ ରୋକ ଲଗାଯିବା ଘଟଣାକୁ ନେଇ ସାଧାରଣ ଜନତାଙ୍କ ମନରେ ସୃଷ୍ଟି ହୋଇଥିବା କ୍ଷୋଭ ଓ ଦୁଃଖ କିପରି ଦୂରହେଵ, ପ୍ରଶାସନ ନିଜ ନିଷ୍ପତିର ପୁନର୍ବିଚାର କରିବାପାଇଁ  ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.