କେନ୍ଦ୍ରାପଡା, ୩୧/୦୧/୨୦୨୧(ଓଡ଼ିଶା ସମାଚାର)- ଘରବାଡି ଜମିକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳରୁ ମାଡପିଟ ହୋଇଥିବା ବେଳେ ଜଣଙ୍କର ଡାକ୍ତରଖାନାରେ ମୃତୁ୍ୟ ହେବାରୁ ଗଣ୍ଡଗୋଳ ମାମଲାଟି ହତ୍ୟା ମାମଲାରେ ପରିବର୍ତିତ ହୋଇଛି । ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ମନକରପୁର ଗ୍ରାମର ବଡଭାଇ ବାଇଧର ଭୋଇ ଓ ସାନଭାଇ ରବୀନ୍ଦ୍ର ଭୋଇଙ୍କ ମଧ୍ୟରେ ଗତ ସୋମବାର ପୂର୍ବାହ୍ନରେ ଘରବାଡି ଜମିକୁ ନେଇ ଗଣ୍ଡଗୋଳ ହେବାରୁ ବଡଭାଇ ବାଇଧର ଓ ତାଙ୍କ ପତ୍ନୀ ଏବଂ ଦୁଇପୁଅ ରବୀନ୍ଦ୍ରକୁ ମାଡ ମାରିଥିଲେ । ରବୀନ୍ଦ୍ରକୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ରବୀନ୍ଦ୍ରଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ରବୀନ୍ଦ୍ରଙ୍କ ଗତ ଶୁକ୍ରବାର ରାତିରେ ମୃତୁ୍ୟ ହୋଇଯାଇଥିଲା । ପ୍ରଥମେ ରବୀନ୍ଦ୍ରଙ୍କ ପିତା ବାବୁଲି ଭୋଇଙ୍କ ଅଭିଯୋଗ କ୍ରମେ ଟାଉନଥାନାରେ କେଶ ନମ୍ବର ୧୭/୨୦୨୧ରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୦୭, ୩୫୪(ଖ) ଓ ୩୪ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ଦାୟୀତ୍ୱ ଏ.ଏସ.ଆଇ. ଶରତ ଚନ୍ଦ୍ର ବାରିକଙ୍କୁ ଦିଆଯାଇଥିଲା । ଏ.ଏସ. ଆଇ. ଶ୍ରୀ ବାରିକ ମୁଖ୍ୟ ଅଭିଯୁକ୍ତ ବାଇଧର ଭୋଇଙ୍କୁ ଗିରଫ କରି ଗତ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲେ । କିନ୍ତୁ ରବୀନ୍ଦ୍ରଙ୍କ ମୃତୁ୍ୟ ପରେ ଏହି ମାମଲାଟି ୩୦୨ହତ୍ୟାମାମଲାରେ ବଦଳିବା ପରେ ଟାଉନ ଥାନାର ଅତିରିକ୍ତ ଭାରପ୍ରାପ୍ତ ଇନିସପେକ୍ଟର ସାଇମନ ଲାକ୍ରା ତଦନ୍ତକାରୀ ଅଧିକାରୀ ଭାବେ ଦାୟୀତ୍ୱ ନେଇ ଆଜି ଅନ୍ୟ ଅଭିଯୁକ୍ତ ବାଇଧର ଭୋଇଙ୍କ ପତ୍ନୀ ମଣୀ ଭୋଇ, ବାଇଧରଙ୍କ ଦୁଇପୁତ୍ର ବମ୍ବୁ ଭୋଇ ଓ ମଙ୍ଗୁ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅତିରିକ୍ତ ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀ ଲାକ୍ରାଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର