Thursday , March 23 2023
Home / ବିଶେଷ / ଖାଦ୍ୟ ଅନ୍ୱେଷଣରେ ଆସି ଟ୍ରେନ୍ ଧକାରେ ୩ ହରିଣ ମୃତ, ୨ ଆହତ

ଖାଦ୍ୟ ଅନ୍ୱେଷଣରେ ଆସି ଟ୍ରେନ୍ ଧକାରେ ୩ ହରିଣ ମୃତ, ୨ ଆହତ

ରଘୁନାଥପୁର, ୩୧/୦୧/୨୦୨୧(ଓଡ଼ିଶା ସମାଚାର)- କଟକ ବନଖଣ୍ଡ ତଥା ଜଗତସିଂହପୁର ବନାଂଚଳ ଅଧିନରେ ଥିବା ଧଳତଙ୍ଗଗଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଆଉ ଫେରିପାରୁନାହାନ୍ତି ନିରିହ ହରିଣ । କେତେବେଳେ ଟ୍ରେନ୍ ଧକା ତ କେତେବେଳେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଜୀବନ ହାରୁଛନ୍ତି ଏହି ନିରୀହ ପଶୁ । ଏପରି ଘଟଣା ଘଟିଛି ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ ଅଧିନରେ ଥିବା ଧଳତଙ୍ଗଗଡ଼ ଜଙ୍ଗଲରେ । ଆଜି ଭୋରୁ ରାମଚନ୍ଦ୍ରପୁରସ୍ଥିତ ତିନି ପୋଲିଆ ଠାରେ ଟ୍ରେନ୍ ଧକାରେ ୩ ଗୋଟି ହରିଣ ମରି ପଡ଼ିଥିବାବେଳେ ୨ ଟି ରହିଣ ଆହତ ଅବସ୍ଥାରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି । ୨୭୯ ଏକର ପରିମିତ ଏହି ଜଙ୍ଗଲରେ ହଜାର ରୁ ଅଧିକ ରହିଣ ରହିଥିଲେ ମଧ୍ୟ ଏମାନଙ୍କ ପାଇଁ ବନ ବିଭାଗ ପକ୍ଷରୁ କୌଣସି ଖାଦ୍ୟର ବ୍ୟବସ୍ଥା କରାଯାଇନାହିଁ । ଫଳରେ ଏମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଟ୍ରେନ୍ ଲାଇନ୍ ପାର ହୋଇ ଦୂର ଦୂରାନ୍ତକୁ ଚାଲିଯାଉଥିବାବେଳେ ଏବଂ ଏହି ଯାତାୟତ ସମୟରେ ଟ୍ରେନ୍ ଧକାରେ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷେ ଜଙ୍ଗଲ ଚାରିପଟେ ଏମାନଙ୍କ ପାଇଁ ସୁରକ୍ଷା ପ୍ରାଚୀର ନଥିବାରୁ ଏହି ହରିଣ ମାନେ ଜଙ୍ଗଲ ନିକଟରେ ଥିବା ଚାଷ ଜମିରୁ ଧାନ, ବିରି, ମୁଗ ଇତ୍ୟାଦି ଫସଲ ସହିତ ଲୋକମାନଙ୍କ ପନିପରିବା ଚାଷ ମଧ୍ୟ ଉଜାଡ଼ି ଦେଉଛନ୍ତି । ଫଳରେ ଚାଷୀମାନେ ମଧ୍ୟ ନିଜର ଅମଳକ୍ଷମ ଶଷ୍ୟ ହରିଣଙ୍କ ମୁହଁରୁ ଉଦ୍ଧାର କରିନପାରି କ୍ଷତି ସହୁଛନ୍ତି । ଏମାନଙ୍କ ଦାୟିତ୍ୱରେ ଥିବା ବନ କର୍ମଚାରୀ ମାନେ ମଧ୍ୟ ନା ଚାଷୀମାନଙ୍କୁ ସୁରକ୍ଷା ଦେଇପାରୁଛନ୍ତି ନା ହରିଣ ମାନଙ୍କୁ ସୁରକ୍ଷା ଦେଇପାରୁଛନ୍ତି । ଜଙ୍ଗଲ ମଧ୍ୟରେ କେତେଗୋଟି ପୋଖରୀ ଥିଲେ ବି ସେଥିରେ ପାଣି ନାହିଁ । ଘାଷ ଚାଷ ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ଘାଷର ଚିହ୍ନ ବର୍ଣ୍ଣ ନାହିଁ । ଏପରି ପରିସ୍ଥିତିରେ ଚାଷ ଜମି ସହିତ ହରିଣ ମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଜଗତସିଂହପୁର ଜିଲାପାଳ,ଜଙ୍ଗଲ ବିଭାଗ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିବାବେଳେ ଘାଷ ଚାଷ ନାମରେ ବ୍ୟୟ କରାଯାଉଥିବା ଲକ୍ଷା ଧିକ ଟଙ୍କା କୁ ତଦନ୍ତ ପରିସରକୁ ନେବାପାଇଁ ସେମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.