ଗରଦପୁର ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ଜଣେ ଗ୍ରାହକ ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ସମୟରେ ଅସଲି ଓ ନକଲି ନୋଟ୍ ଚିହ୍ନି ନ ପାରିବାରୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିବାର ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ପାଟକୁରା ପଂଚାୟତ ଅନ୍ତର୍ଗତ ସମ୍ସରା ଗ୍ରାମର ବାସନ୍ତି ରାଉତଙ୍କର ପାଟକୁରାସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କରେ ଜମା ଖାତା ରହିଛି । ବାସନ୍ତି ଗତ କାଲି ବ୍ୟାଙ୍କକୁ ଯାଇ ଜମାଖାତାରୁ ଏକ ହଜାର ଟଙ୍କା ଉଠାଣ କରିଥିଲା । ଟଙ୍କା ଉଠାଣ କରିଥିବା ବାସନ୍ତିଙ୍କୁ ବ୍ୟାଙ୍କ କର୍ତୃପକ୍ଷ ୫ ଖଣ୍ଡ ୨ଶହ ଟଙ୍କିଆ ନୋଟ୍ ପ୍ରଦାନ କରିଥିଲେ । ବାସନ୍ତି ଉଠାଣ କରିଥିବା ଟଙ୍କା ନେଇ ଘରକୁ ଯାଇଥିଲା । ଘରେ ଗୋଟିଏ ଦୁଇ ଶହ ଟଙ୍କିଆ ନୋଟ୍ ରେ କିଛି ପ୍ରଭେଦ ରହିଥିବା ବାସନ୍ତିଙ୍କ ସ୍ୱାମୀ ନିଖିଳ ରାଉତ ଜାଣି ପାରିଥିଲେ । ଏହା ଏକ ଜାଲ ନୋଟ୍ ସନ୍ଦେହ କରିଥିଲେ । ବାସ୍ତନ୍ତୀ ଓ ନିଖିଳ ଉଭୟେ ପାଟକୁରାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଆସି ଏ ସମ୍ପର୍କରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ କହିଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ସମୟରେ ଯଦି ଟଙ୍କାରେ କିଛି ସମସ୍ୟା ରହିଥିଲା,ତେବେ ସେହି ସମୟରେ ବ୍ୟାଙ୍କରେ ଜଣାଇବାର ଥିଲା ବୋଲି ବ୍ୟାଙ୍କ କର୍ତପକ୍ଷ କହିଥିଲେ । ବ୍ୟାଙ୍କରୁ ଟଙ୍କା ନେଇ ଘରକୁ ଯାଇ ପୁଣି ସେଠାରୁ ଫେରି ବ୍ୟାଙ୍କକୁ ଆସିଥିବାରୁ ବ୍ୟାଙ୍କ କର୍ତୃପକ୍ଷ ସେହି ଟଙ୍କାକୁ ଗ୍ରହଣ କଲେ ନାହିଁ । ଆଜି ଅଖିଳ ନିକଟସ୍ଥ ବନ୍ଧକଟା ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଯାଇ ସେଠାରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ କହିବା ସହିତ ଦୁଇ ଶହ ଟଙ୍କ ଅସଲି କିମ୍ବା ନକଲି ବୋଲି ଜାଣିବାକୁ ଚାହିଁଥିଲେ । ସେହି ଟଙ୍କାକୁ ବ୍ୟାଙ୍କ କର୍ତୃପକ୍ଷ ମେସିନ୍ ରେ ଯାଂଚ କରିବା ପରେ ତାହା ଜାଲ ନୋଟ୍ ବୋଲି ଜାଣିବାକୁ ପଇଥିଲେ । ଅଖିଳ ହତାଷ ହୋଇ ଏ ସମ୍ପର୍କରେ ପାଟକୁରା ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର