ଭୁବନେଶ୍ୱର, ୩୦/୦୧/୨୦୨୧ (ଓଡ଼ିଶା ସମାଚାର)- ପର୍ୟ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର। କରୋନା କଟକଣା ଯୋଗୁ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିବା ରାଜ୍ୟର ୨ ଟି ପ୍ଲାନେଟାରିୟମ୍ ଆସନ୍ତା ଫେବୃଆରୀ ୨ ତାରିଖରୁ ପୁଣି ଖୋଲିବ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଓ ବୁର୍ଲା ରେ ଥିବା ଡ଼ ଅବ୍ଦୁଲ କାଲାମ ପ୍ଲାନେଟାରିୟମ୍ ସହିତ ଖଣ୍ଡପଡ଼ା ଠାରେ ଥିବା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ। କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଏହି ସବୁ ପ୍ଲାନେଟାରିୟମ୍ ଆଗ ଭଳି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ। ପ୍ଲାନେଟାରିୟମ୍ ପରିସରରେ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି।
ବର୍ତ୍ତମାନ ପ୍ରାଥମିକ ପର୍ୟ୍ୟାୟରେ ପ୍ଲାନେଟାରିୟମ୍ ଭିତରର ପ୍ରତିଟି ସୋ’ ପାଇଁ ୫୦ଜଣଙ୍କୁ ଅନୁମତି ଦିଆଯିବ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରତି ସୋ’ ପାଇଁ ୧୭୦ଟି ଲେଖାଏଁ ସିଟ୍ ରହିଥିବା ବେଳେ ବୁର୍ଲା ପ୍ଲାନେଟାରିୟମରେ ୧୪୦ଟି ସିଟ୍ ରହିଛି। କିନ୍ତୁ ଏବେ ଉଭୟ ପ୍ଲାନେଟାରିୟମ୍ ର ସୋ’ ପାଇଁ ମାତ୍ର ୫୦ଜଣଙ୍କୁ ହିଁ ଅନୁମତି ଦିଆଯିବ। ଓଡ଼ିଶା ସମାଚାର