କନ୍ଧମାଳ ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ପୁଲିସ ଇନଫର୍ମର ସନ୍ଦେହ କରି ମାଓବାଦୀ ମାନେ ଦୁଇଜଣ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତରେ ଗତକାଲି ରାତିରେ ୨୦ରୁ ୩୦ଜଣ ସଶସ୍ତ୍ର ମାଓବାଦୀ ପହଂଚି ଡ଼ବଲ ମର୍ଡ଼ର ରଚିଥିଲେ। ପ୍ରଥମେ ସେମାନେ ଭଣ୍ଡରଙ୍ଗୀ ପଞ୍ଚାୟତ କାର୍ୟ୍ୟାଳୟରେ ପହଂଚି ସେଠାରେ ଶୋଇଥିବା ସରପଞ୍ଚ ଦ୍ରୋଉପତି ପାତ୍ରଙ୍କ ପୁଅ ଭବାନୀ ଶଙ୍କର ପାତ୍ରଙ୍କୁ ଡାକି ତାଙ୍କ ହାତ ଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ସେମାନେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କ ଘର ଭିତରେ ପଶି ହେମନ୍ତକୁ ଘରୁ ଟାଣି ଆଣି ହତ୍ୟା କରିଥିବା ଜଣାପଡ଼ିଛି। ଦୁଇ ଯୁବକଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ମୃତଦେହ ନିକଟରେ ପୋଷ୍ଟର ଛାଡିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଓଡ଼ିଶା ସମାଚାର