କଟକ, ୨୯/୦୧/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଏକ ଡକାୟତି ଯୋଜନା ପଣ୍ଡ ହୋଇଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ସେମାନେ ମାଛ ପରିବହନ କରୁଥିବା ଗାଡିକୁ ଡକାୟତି କରିବାକୁ ଯୋଜନା କରୁଥିଲେ । ଚାଉଳିଆଗଞ୍ଜ ଥାନା ପୋଲିସ ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୁଳି, କଟୁରୀ ଏବଂ ୩ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ପୋଲିସ ପାଇଁ ଓ୍ବାଣ୍ଟେଡ ଥିବାବେଳେ ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୧୦ରୁ ଅଧିକ ମାମଲା ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ମାଛ ପରିବହନ କରୁଥିବା ଗାଡ଼ିରୁ ଡ଼ାକୟତି କରିବାକୁ ଯୋଜନା କରୁଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ବିଦ୍ୟାଧରପୁରଠାରେ ଚଢ଼ାଉ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିବାସହ ମାରଣାସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସୂର୍ୟ୍ୟ ମାଝୀ, ସନାତନ ଦାଶ, ପ୍ରମୋଦ କୁମାର ମଲ୍ଲିକ, ବାପିର କୁମାର ସେଠୀ, ଗଣେଶ ନାୟକ। ଓଡ଼ିଶା ସମାଚାର