Wednesday , March 29 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ୧୭ଶ ଧଉଳି-କଳିଙ୍ଗ ମହୋତ୍ସବ

୧୭ଶ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର, ୨୯/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କର ରାଜ୍ୟ ପର୍ୟ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ୟ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ପର୍ୟ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି ସାଂସ୍କୃତିକ ପର୍ୟ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ୟାବରଣ ପର୍ୟ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ୟ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ ।
ପ୍ରତି ବର୍ଷ ଫେବ୍ରୁୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ । ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି ।
ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଥାଏ ।
ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ ହେଲା ଦେଶର ଯୁବକ ସମାଜ ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା । ଚଳିତ ବର୍ଷ ଆସନ୍ତା ୬ ରୁ ୮ ଫେବୃୟାରୀ, ୨୦୨୧, ସନ୍ଧ୍ୟା ସାଢ଼େ ୬ ଷଯା ବେଳେ ଏହି ୧୭ଶ ଧଉଳି-କଳିଙ୍ଗ ମହୋତ୍ସବ ଐତିହାସିକ ଧଉଳି ପାହାଡର ପାଦ ଦେଶ ରେ ଅନୁଷ୍ଠିତ ହେବ ।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯାଉଅଛି।
ଏହି ଉପଲକ୍ଷେ ଶୁକ୍ରବାର ଦିନ ଓଡ଼ିଶା ଡ଼୍ରାନ୍ସ ଏକାଡ଼େମୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟଟନ ବିଭାଗ ନିର୍ଦ୍ଧେଶକ ତଥା ଅତିରିକ୍ତ ସଚୀବ ସଚିନ ରାମଚନ୍ଦ୍ର ଯାଦବ ଏଥିରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଶ୍ରୀମତୀ ଅରୁଣା ମହାନ୍ତି, ଆଟ ଆଣ୍ଡ ଭିଜନ୍ ର ନିର୍ଦ୍ଧେଶିକା ଗୁରୁ ଡ଼ ଏଲିଏନା ସିତାରିଷ୍ଟ , ପର୍ଯ୍ୟଟନ ବିଭାଗ ର ସହକାରୀ ନିର୍ଦ୍ଧେଶକ ରତିକାନ୍ତ ପଟ୍ଟନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ବୁଦ୍ଧ ସମ୍ମାନ :
ଏହି ସମ୍ମାନଟି ଦୀର୍ଘ ୧୪ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି । ପ୍ରତି ବର୍ଷ ଜଣେ ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ଆଂଶିକ ଭାବରେ ରୁଚି ପ୍ରତିଭା ଫାଉଣ୍ଡେସନ, କଟକ ଓ ଓଡିଶା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵର ଦ୍ଵାରା ପ୍ରାୟୋଜିତ । ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା, ପ୍ରଖ୍ୟାତ ଓଡିଶୀ ସଙ୍ଗୀତ ବିଶାରଦ ।
ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :
ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାଇତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି ।
ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଶ୍ରୀ କେ. ରାମାରାଓ ପାତ୍ରୋ, ଖ୍ୟାତି ସମ୍ପନ୍ନ କର୍ଣ୍ଣାଟିକ ବୀଣା ବାଦକ; ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ, ପ୍ରଥିତଯଶା ଓଡିଶୀ ନୃତ୍ୟାଙ୍ଗନା; ଶ୍ରୀ ଶ୍ୟାମହରି ଚକ୍ର, ବିଶିଷ୍ଟ ସାମ୍ବାଦିକ ଓ ଓଡିଶୀ ନୃତ୍ୟ ସମୀକ୍ଷକ ଏବଂ ମରଣୋତ୍ତର ଭାବେ ଶବ୍ଦ ଓ ସଙ୍ଗୀତ ବିନ୍ୟାସର ଯାଦୁକର ସ୍ଵର୍ଗତ ତାରାକାନ୍ତ ପଣ୍ଡା । ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଓଡ଼ିଶା ସମାଚାର

Leave a Reply

Your email address will not be published.