କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଜନୈକ ଘରପୋଡି ବିପନ୍ନଙ୍କୁ ଆଳି ତହସିଲ ପକ୍ଷରୁ ସରକାରୀ ସହାୟତା ପ୍ରଦାନ କରୁନଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଆଳି ତହସିଲ ଅନ୍ତର୍ଗତ ଦଶିପୁର ମୌଜାର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶଙ୍କ ୨ବଖରା ଘର ଗତ ଜାନୁଆରୀ ମାସ ୧ତାରିଖ ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଏସମ୍ପର୍କରେ ତଦନ୍ତ କରିସାରିଥିବା ବେଳେ ଆଜିପର୍ଯ୍ୟନ୍ତ ଘରପୋଡି ବିପନ୍ନ ଶ୍ରୀ ଦାଶଙ୍କୁ କେବଳ ଜରିପାଲ ବ୍ୟତିତ ଅନ୍ୟ କୈାଣସି ସରକାରୀ ସହାୟତା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ରାଜକନିକା ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀ ଦାଶଙ୍କ ଘର ଅଗ୍ନିରେ ପୋଡିଯାଇଥିବା ସମ୍ପର୍କରେ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଘରପୋଡିର ୨୭ଦିନ ପରେବି ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାନଯିବା ଘଟଣା ପ୍ରଶାସନର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ଆଳି ତହସିଲଦାରଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର