ଗରଦପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ତହସିଲ ନିକଟସ୍ଥ ପେଟୁଆପାଟରେଗତ ୧୫ଦିନ ଧରିକାଳିମୁଣ୍ଡି ଉପଦ୍ରବ ଲାଗି ରହିଛି । ପେଟୁଆପାଟରେ ଥିବା ପାଖଡ଼, ଗରଦପୁର ଓ ବରହମପୁର ଗ୍ରାମର ପାଂଚଶହ ଏଳରରୁ ଉଦ୍ଧ୍ୱର୍ ବାଦାମ ଓ ମୁଗ ଫସଲକୁ କାଳିମୁଣ୍ଡି ସମ୍ପୂର୍ଣ୍ଣ ଚରି ଯାଇଛନ୍ତି । ହଜାର ହଜାର ଟଙ୍କା ଋଣ କରି ଅର୍ଥକରୀ ଫସଲ ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଜି ପାଖଡ଼, ଗରଦପୁର ଓ ବରହମପୁରର ଚାଷୀମାନେ କ୍ଷେତରୁ ଆସି ଅଫିସରେ ପହଂଚିଛନ୍ତି । ପ୍ରଶାସନକୁ ନିଜର ଦୁଃଖ ଓ ଗୁହାରୀ ଜଣାଇବା ପାଇଁ ଏକଜୁଟ୍ ହୋଇଛନ୍ତି । ଶତାଧିକ ଚାଷୀ ଏକତ୍ରୀତ ହୋଇ ଗରଦପୁର ତହସିଲ କାର୍ଯ୍ୟାଳୟରେ ତହସିଲଦାର ଧରଣୀଧର ବେହେରାଙ୍କୁ ଭେଟିଥିଲେ । ପେଟୁଆପାଟରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ଚିନାବାଦାମ, ମୁଗ ଓ ଟି ନାଇନ୍ ବିରି ଫସଲର କ୍ଷତି ପୂରଣ ମିଳିବାକୁ ଦାବି ଜଣାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଉଦ୍ଧେଶ୍ୟରେ ଲିଖିତ ଦାବିପତ୍ରକୁ ଚାଷୀମାନେ ତହସିଲଦାର ଶ୍ରୀ ବେହେରାଙ୍କୁ ପ୍ରଦାନ କରିଥିଲେ । ଉଲ୍ଲେଖନୀୟ ଏହିକି ଗରଦପୁର ଓ ପାଖଡ କୃଷିସମବାୟ ସମିତିରୁ ଶତାଧିକ ଚାଷୀ ଋଣ କରି ଅର୍ଥକାରୀ ଫସଲ ଭାବରେ ଚିନାବାଦାମ ଚାଷ କରିଥିଲେ । କିଛି ଜମିରେ ମଧ୍ୟ ଚାଷୀମାନେ ଟି ନାଇନ୍ ବିରି ଓ ମୁଗ ଚାଷ କରିଥିଲେ । ଚିନାବାଦାମ ଗଛ ଫୁଲ ଧରି ଆସୁଥିବାବେଳେ ବିରି ଓ ମୁଗ ଗଛ ଚାରିଚାରି ପତ୍ର ହୋଇଥିଲା । କାଳିମୁଣ୍ଡିପୋକ ଫସଲକୁ ସମ୍ପୂର୍ଣ୍ଣ ଚରିଗଲେ । ଚାଷ ପାଇଁ କରିଥିବା ଋଣ ସମ୍ପର୍କରେ କୃଷିସମବାୟ ସମିତିରେ ଯୋଗାଯୋଗ କରିବାରୁ ଖରିଫ୍ ଫସଲ ପାଇଁ ଇନ୍ସ୍ୟୁରାନ୍ସ୍ ଅଛି କିନ୍ତୁ ରବି ଫସଲ ପାଇଁ କୌଣସି ଇନ୍ସ୍ୟୁରାନ୍ସ୍ ନାହିଁ ବୋଲି ସମିତି ତରଫରୁ କୁହାଯାଇଥିଲା । ଋଣ କରିଥିବା ଚାଷୀମାନେ ଏଥିରେ ବିଚଳିତ ହୋଇପଡ଼ିଥିଲେ । ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିବା ସହିତ ଋଣ ଟଙ୍କା ଶୁଝିବା ଚିନ୍ତାରେ ଚାଷୀଙ୍କ ମନରେ ଅତ୍ମହତ୍ୟା ପ୍ରବଣତା ଦେଖାଯାଇଥିଲା । କୃଷିବିଭାଗ ତରଫରୁ ରିହାତିରେ କୀଟନାଶକ ପ୍ରଦାନ କରାଯିବାସତ୍ୱେ ଓ ଚାଷୀମାନେ ତିନିତିନି ଥର ଔଷଧ ପ୍ରୟୋଗ କରିବା ପରେ ମଧ୍ୟ କାଳମୁଣ୍ଡି ଦାଉରୁ ଫସଲକୁ ରକ୍ଷା କରିପାରି ନଥିଲେ । ଏବେ ଚାଷୀମାନେ ସରକାରଙ୍କ ଉପରେ ନିର୍ଭର କରିଛନ୍ତି । ପ୍ରଶାସନ ଜରିଆରେ ସରକାରଙ୍କୁ ଦାବି ଜଣାଇଛନ୍ତି । କ୍ଷୟକ୍ଷତିର ପ୍ରକୃତ ଆକଳନ କରି ଉପଯୁକ୍ତ କ୍ଷତିପୂରଣର ବ୍ୟବସ୍ଥା କରିବାପାଇଁ ଚାଷୀମାନେ ଦାବି କରିଛନ୍ତି । ଆଜି ଗରଦପୁରର ରମେଶଚନ୍ଦ୍ର ପଣ୍ଡା, କୈଳାଶ ଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ପଣ୍ଡା, ପାଖଡ଼ଗ୍ରାମରସନାତନ କର, ପ୍ରଫୁଲ୍ଲ ନାୟକ, ଭରତମଳିକ, ଅଭୟକର,ମୁକେଶ ରଞ୍ଜନ କର, ଦିଲ୍ଲୀପ କୁମାର ରଥ, ବାଜନ ଚଇନି, ଭାଗବତ ସାହୁ, କୈବଲ୍ୟ କର, ଅଶୋକ କୁମାର ଦେବତା, ସୁରେନ୍ଦ୍ରନାଥ ନାୟକ, ବଂଶୀଧର ମିଶ୍ର, ବିଜୟ ମଲିକ, କେଶବ ଚଇନି ଓ ବରହମପୁର ଗ୍ରାମର ଦେବେନ୍ଦ୍ର ମଳିକ, ଯୋଗୀ ମହାନ୍ତି, ବିଷ୍ଣୁ ରଣା, ଆଲୋକ ମହାନ୍ତି, ସମ୍ବିତ ମହାନ୍ତି, ଅଭୟ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ରଣା, ମହେଶ୍ୱର ରଣା, ଭାବଗ୍ରାହୀ ନାୟକ ପ୍ରମୁଖ ଶତାଧିକ ଚାଷୀ ଗରଦପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଂଚି ତହସିଲଦାର ଧରଣୀଧର ବେହେରାଙ୍କୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ସବିଶେଷ ସୂଚନାରୁ ପ୍ରକାଶ ଯେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଆଲୋଚନା ପରେ କ୍ଷୟକ୍ଷତିର ଆକଳନ କରିବା ପାଇଁ ତହସିଲଦାର ଶ୍ରୀ ବେହେରା ଆଜି ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ଓଡ଼ିଶା ସମାଚାର