ଗରଦପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଆଳିଜଙ୍ଗା ଠାରେ ପଂଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ପାର୍କ ଉଦଘାଟିତ ହୋଇଯାଇଛି । ଗତ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ର ସନ୍ଧ୍ୟାରେ ପାଟକୁରା ର ବିଧାୟିକା ସାବିତ୍ରୀ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପାର୍କ ର ଶୁଭ ଉଦଘାଟନ କରି ବ୍ଲକ୍ ର ୧୮ ଟି ପଂଚାୟତ ମଧ୍ୟରେ ଏହି ପାର୍କ ଟି ଭଲ ହୋଇଥିବା ପ୍ରକାଶ କରିଥିଲେ । ସେ କହିଥିଲେ କି ନିର୍ବାଚନ ବେଳେ ଦଳ, ନିର୍ବାଚନ ପରେ ଦଳମତ ନିର୍ବିଶେଷରେ ଅଂଚଳର ବିକାଶ ପାଇଁ ସମସ୍ତେ ଏକାଠି ହେବା ଦରକାର । ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ଦେବୁଭାଇ ଅଂଚଳର ବିକାଶ ପାଇଁ ୧୫ ଖଣ୍ଡ ଇଟା ପକାଇଥିଲେ ମୁଁ ୫ ଖଣ୍ଡ ଇଟା ତ ପକାଇପାରିବି ବୋଲି ବିଧାୟିକା କହିଥିଲେ । ଅସୁରଖୋଳା ଜୋରର ଜଳ ନିଷ୍କାସନ ସମସ୍ୟା ଓ ଡ଼ାକ୍ତରଖାନାରେ ଡ଼ାକ୍ତର ନଥିବା ସମ୍ପକରେ ଦୃଷ୍ଟି ଆକର୍ଷଣ କରାଯିବା ରୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟିକା ପ୍ରତିଶୃତି ଦେଇଛନ୍ତି ।
ସମ୍ମାନୀତ ଅତିଥି ଭାବରେ ବିଧାୟିକାଙ୍କ ସୁପୁତ୍ର ତଥା ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା, ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ, ଗରଦପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ସମିତି ସଭ୍ୟା ଜ୍ଞାନିଶା ବିଶ୍ୱାଳ, ଗରଦପୁର ତହସିଲଦାର ଧରଣୀଧର ବେହେରା, ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ପ୍ରମୁଖ ଯୋଗଦେଇଥିଲେ ।
ଏହି ଉପଲକ୍ଷେ ଆୟୋଜିତ ସଭାରେ ସ୍ଥାନୀୟ ସରପଂଚ ମଳୟାବାସିନୀ ମହାନ୍ତି ସଭାପତିତ୍ୱ କରିଥିବାବେଳେ ସରପଂଚ ଙ୍କ ପ୍ରତିନିଧି ତଥା ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ସଭା ପରିଚାଳନା କରିଥିଲେ । ବିଧାୟିକା ଙ୍କୁ ଏକ ଶୋଭାଯାତ୍ରାରେ କର୍ମୀମାନେ ସାଇଫନ୍ ଛକରୁ ପାର୍କ ପର୍ଯ୍ୟନ୍ତ ଆଣିଥିଲେ । ଓଡ଼ିଶା ସମାଚାର