Sunday , April 2 2023
Breaking News
Home / ଶିକ୍ଷା / ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ

ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ

ଭୁବନେଶ୍ୱର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)- ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଉନ୍ମୋଚନ କରିଛନ୍ତି । ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀ ଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ବଂଟନ କରାଯିବ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହାଦ୍ବାରା ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀ ଉପକୃତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ବହି ବଣ୍ଟନ କାର୍ୟ୍ୟର ଦାୟିତ୍ଵ ନେବେ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପୁସ୍ତକଗୁଡ଼ିକ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।
ପ୍ରଥମ ପର୍ୟ୍ୟାୟରେ ଆଜି ରାଜ୍ୟର ଉପାନ୍ତ ଜିଲ୍ଲା ନୂଆପଡ଼ା, ମାଲକାନାଗିରି, ନବରଙ୍ଗପୁର ଓ କୋରାପୁଟକୁ ମୋଟ ୫୦ ହଜାର ପୁସ୍ତକ ପଠାଯାଇଛି। ଏହି ସମସ୍ତ ପୁସ୍ତକ ପର୍ୟ୍ୟାୟକ୍ରମେ ଫେବ୍ରୁଆରି ୧୨ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାକୁ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଫେବ୍ରୁଆରି ୧୫ତାରିଖ ମଧ୍ୟରେ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଏହା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି। ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଜିଲ୍ଲାର ଉପାନ୍ତ ବ୍ଲକର ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବ୍ୟବସ୍ଥା କରିବେ ଏବଂ ପୁସ୍ତକ ବଣ୍ଟନରେ ନିୟୋଜିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.