ସୁଦୃଢ ଗଣତନ୍ତ୍ର ଏବଂ ରାଷ୍ଟ୍ରବାଦ ହିଁ ଭାରତର ଅଗଣିତ ନାବାଳିକାଙ୍କୁ ସୁରକ୍ଷା ଦେବାରେ ସହାୟ ହେବ
ଭୁବନେଶ୍ୱର,୨୬/୦୧/୨୦୨୧ (ଓଡ଼ିଶା ସମାଚାର)-ଭୁବନେଶ୍ୱରସ୍ଥିତ ପାତ୍ରପଡ଼ା ଉଦୟଗିରି ବିହାରଠାରେ ଅବସ୍ଥିତ ସରକାରୀ ସ୍ୱୀକୃତପ୍ରାପ୍ତ କନ୍ୟା ଶିଶୁଗୃହରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଗଣତନ୍ତ୍ର ଉତ୍ସବରେ ଅତିଥି ଭାବେ ଯୋଗଦାନ କରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଶିଶୁ ସୁରକ୍ଷା ବିଭାଗର ମୁଖ୍ୟ ଶିଶୁସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏବଂ ପୂର୍ବତନ ରାଜ୍ୟ ମିହଳା କମିଶନ ସଦସ୍ୟା ଜୁଭେନାଲ ଜଷ୍ଟିସ ବୋର୍ଡ଼ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ମିଳିତଭାବେ ପତାକା ଉତୋଳନ କରିଥିଲେ । ଗଣତନ୍ତ୍ର ସୁଦୃଢ ହେଲେ ଏବଂ ଜନସାଧାରଣଙ୍କ ହୃଦୟ ମଧ୍ୟରେ ରାଷ୍ଟ୍ରବାଦ ସୃଷ୍ଟି ହେଲେ ଆଗାମୀ ଦିନରେ ଭାରତର ଅଗଣିତ ନବାଳିକାମାନଙ୍କୁ ସୁରକ୍ଷା ଦେବାରେ ସହାୟ ହେବ ବୋଲି ଶ୍ରମତୀ ଚଢା କହିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ନିରଞ୍ଜନ କର, ଚିକିତ୍ସକ ସୁବ୍ରତ ମେହେର, ସାମାଜିକ କର୍ମୀ ନିତ୍ୟାନନ୍ଦ ସାହୁ ଯୋଗଦେଇ ନିଜ ନିଜ ଅଭିଭାଷଣ ଦ୍ୱାରା ଅନ୍ତେବାସୀ କୁନିକୁନି ପିଲାମାନଙ୍କୁ ଗଣତନ୍ତ୍ରର ମହତ୍ୱ ବିଷୟରେ ଅବଗତ କରାଇଥିଲେ । ଅନୁଷ୍ଠାନରେ ବାସ କରୁଥିବା ୪୦ଜଣ ଅନ୍ତେବାସୀ ଛାତ୍ରଛାତ୍ରୀ ଜାତୀୟ ସଙ୍ଗୀତ, ରାଷ୍ଟ୍ରଗାନ କରି ଉପସ୍ଥିତ ସମସ୍ତଙ୍କୁ ବିମୋହିତ କରିଥିଲେ । ଏହାପରେ ଭିନ୍ନକ୍ଷମ ନୃତ୍ୟଗୁରୁ ହରିହର ଦେଓଙ୍କ ନେତୃତ୍ୱରେ ଅନ୍ତେବାସୀ ଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଏହି ପବିତ୍ର ଉତ୍ସବରେ ଅନ୍ତେବାସୀ ଛାତ୍ରୀମାନେ ସାରାଦିନ ନୃତ୍ୟ, କଳା, ସଙ୍ଗୀତ ପରିବେଷଣ, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତାରେ ଅତିବାହିତ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀମତୀ ପାତ୍ର ଓ ଲିକୁନ ସାହୁ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର