କେନ୍ଦ୍ରାପଡା, ୨୬/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ନିର୍ବାଚନ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମି୍ରତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନକରି ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଆତ୍ମା ବୋଲି ଉଲ୍ଲେଖ କରି ଯୁବ ଭୋଟରମାନେ ଅଧିକରୁ ଅଧିକ ମତଦାନ କାର୍ଯ୍ୟରେ ସାମିଲ ହେଲେ ଏକ ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ କରିବା ସମ୍ଭବ ବୋଲି କହିବା ସହ ମତଦାନ ବ୍ୟବସ୍ଥା ଗଣତନ୍ତ୍ରକୁ ସମୃଦ୍ଧ ଓ ସୁଦୃଢ କରେ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଯୋଗଦେଇ ଅଧିକ ମତଦାନ ବ୍ୟବସ୍ଥା ସ୍ୱଛ ଓ ନିର୍ମଳ ରୂପକ ନିର୍ବାଚନକୁ ସଠିକ ମାର୍ଗରେ ପରିଚାଳନା କରିବା ସହ ରାଷ୍ଟ୍ରର ଉନ୍ନତି କଳ୍ପେ ଏକ ବଳିଷ୍ଠ ଏବଂ ଉନ୍ନତ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରେ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ସ୍ୱଛ, ସମୃଦ୍ଧ, ଅବାଧ ଓ ମୁକ୍ତ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ଗାରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠି, ଭାଷା ଅଥବା ଅନ୍ୟ କୈାଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ନିଜର ମତଦାନ ସାବ୍ୟସ୍ତ କରିବାକୁ ଶପଥ ପାଠ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଡେପୁଟୀ କଲେକ୍ଟର(ନିର୍ବାଚନ) ସମ୍ବିତ ଶତପଥୀ ଇ-ଇପିକକାର୍ଡ ମୋବାଇଲ ମାଧ୍ୟମରେ କିଭଳି ଯୁବ ଭୋଟରମାନେ ନିଜର ନାମକୁ ପଞ୍ଜିକରଣ କରିବେ ସେ ସମ୍ପର୍କରେ ପାୱାରପଏଂଟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଜିଲ୍ଲାରେ ଚଳିତ ଜାନୁଆରୀମାସ ୨୫ତାରିଖ ସୁଦ୍ଧା ୧୧ଲକ୍ଷ ୯୩ହଜାର ୧୩୨ ଭୋଟର ଅଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ରିଭିଜନରେ ଜିଲ୍ଲାରେ ୫୧ହଜାର ୭୧୧ଫର୍ମ ଆସିଥିଲା । ସେଥିମଧ୍ୟରୁ ୧୧ହଜାର ୪୦୬ ଭୋଟରଙ୍କ ନାମ ଯୋଗ କରିବା ପାଇଁ ଏବଂ ୨୮ହଜାର ୬ଶହ ଫର୍ମ -୭ ଅପଡେଟେସନ କରାଯାଇଛି । ସେହିପରି ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଥିବା ଇ-ଇପିକକାର୍ଡ ସଂଯୋଗୀକରଣ କରିବା ଦିଗରେ ଡେପୁଟୀ କଲେକ୍ଟର(ନିର୍ବାଚନ) ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ୯୬-ପାଟକୁରା, ୯୭-କେନ୍ଦ୍ରାପଡା, ୯୮- ଆଳି, ୯୯- ରାଜନଗର, ୧୦୦- ମହାକାଳପଡାର ସର୍ବୋକୃଷ୍ଟ ୧୧ଜଣ ବୁଥଲେଭଲ ଅଧିକାରୀ ଏବଂ ସର୍ବୋକୃଷ୍ଟ୧୧ଜଣ ବୁଥ ଲେଭଲ ସୁପରଭାଇଜରଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଋତୁରାଜ ସମ୍ମାନିତ କରିଥିଲେ । ସେହିପରି ୧୩ଜଣ ନୂତନ ଭୋଟରଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ବୁଥଲେଭଲ ଅଧିକାରୀ ଓ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର