Saturday , April 1 2023
Breaking News
Home / ବିଶେଷ / ସୁଡ଼କ ସୁରକ୍ଷା ପାଇଁ ରାଜଧାନୀରେ ସାଇକ୍ଲୋଥନ

ସୁଡ଼କ ସୁରକ୍ଷା ପାଇଁ ରାଜଧାନୀରେ ସାଇକ୍ଲୋଥନ

ଦୁର୍ଘଟଣା ରୋକିବା ସମସ୍ତଙ୍କର କାମ୍ୟ ହେଉ : କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର, ୨୨/୦୧/୨୦୨୧ (ଓଡ଼ିଶା ସମାଚାର)- ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଇକ୍ଲୋଥନ । ଚଳିତବର୍ଷର ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଥିମ୍ ରହିଥିଲା ‘ପେଡ଼ାଲ ଫର୍ ରୋଡ଼ ସେଫ୍ଟି’ । ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ରାଜଧାନୀରେ ସାଇକ୍ଲିଷ୍ଟମାନେ ସଚେତନତାର ବାର୍ତା ନେଇ ସହର ପରିକ୍ରମା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଲୋକମାନଙ୍କ ସଚେତନତା ଅଭାବ ଓ କିଛି ଲୋକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ପ୍ରତ୍ୟେକ ଦିନ ଦୁର୍ଘଟଣାମାନ ଘଟିଚାଲିଛି । ଯାହାଫଳରେ ନିରୀହ ଲୋକଙ୍କ ଜୀବନ ଯାଉଛି । ଯାହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଏହାକୁ ରୋକିବା ଆମ ସମସ୍ତଙ୍କର ଆଜିର ଦିନର ବାର୍ତା ହେଉ ବୋଲି ସେ କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ଆଇପିଏସ୍ ଅଫିସର ତଥା ଓଏସଆରଟିସିର ସିଏମଡ଼ି ଅରୁଣ ବୋଥ୍ରା, ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ହେଲମେଟ ପିନ୍ଧିବା ଓ ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ପରିବହନ କମିଶନର ତଥା ବରିଷ୍ଠ ଆଇପିଏସ୍ ଅଫିସର ଶ୍ରୀ ସଞ୍ଜୀବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଉଦଘାଟନ କରିବା ପରେ ସାଇକ୍ଲିଷ୍ଟମାନେ ରାଜମହଲ ଛକଠାରୁ ଆରମ୍ଭ କରି ରାମ ମନ୍ଦିର ଛକ ସହ ରାଜଧାନୀର ପ୍ରମୁଖ ଛକମାନ ପରିକ୍ରମା କରି ଓଏସଆରଟିସି ପରିସରକୁ ପ୍ରତ୍ୟାବର୍ତନ କରିଥିଲେ । ତେବେ, ବିଭିନ୍ନ ଛକରେ ସାଇକ୍ଲିଷ୍ଟଙ୍କର ଷ୍ଟଂଟ ବେଶ୍ ଆକର୍ଷଣୀୟ ହୋଇଥିଲା । ଯାହାକୁ ପଥଯାତ୍ରୀମାନେ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିିଳିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି, ଆରଟିଓ-୨ ବି.ଏନ୍. ଅଧିକାରୀ, ଡ଼େପୁଟି କମିଶନର ସଞ୍ଜୟ କୁମାର ବିଶ୍ୱାଳ, ଟ୍ରାଫିକ ପୋଲିସ୍ ଅଧିକାରୀଙ୍କ ସମେତ ୫୦୦ରୁ ଉଦ୍ଧ୍ୱର୍ ସାଇକ୍ଲିଷ୍ଟ ଭାଗ ନେଇଥିଲେ । ସାଇକ୍ଲିଷ୍ଟମାନେ ଗୋଟିଏ ରଙ୍ଗର ଟି-ସାର୍ଟ ଓ ପ୍ୟାନ୍ଟ ପିନ୍ଧି ମୁଣ୍ଡରେ ଟୋପି ଲଗାଇ ସହର ପରିକ୍ରମା କରିଥିବାରୁ ଏହି ଯାତ୍ରା ବେଶ୍ ଉପଭୋଗ୍ୟ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.