କେନ୍ଦ୍ରାପଡା,୨୨/୦୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଚାଲିଥିବା ଭିନ୍ନକ୍ଷମମାନଙ୍କ ପାଇଁ ପୁନଃ ଥଇଥାନ କେନ୍ଦ୍ରର ମୁଖ୍ୟ ପରିଚାଳିକା ପ୍ରତିମା ଦାସ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଏଠାରେ ପହଁଚିବା ପରେ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବର୍ତମାନ ଜିଲ୍ଲାର ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲେ ମଧ୍ୟ ବିଭାଗ ଅଧିନରେ ଚାଲିଥିବା ପୈାରସଂସ୍ଥା ଦୃଷ୍ଟି ବାଧିତ ବିଦ୍ୟାଳୟକୁ ପରିଦର୍ଶନକରି ବିଦ୍ୟାଳୟର ନଥିପତ୍ରକୁ ତନଖି କରିବା ସହ ପରିବେଶ ଓ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ନିର୍ମିତ ସେନସରିଂ ପାର୍କ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟ ଜିଲ୍ଲା ଗୁଡିକରେ ଥିବା ଦୃଷ୍ଟି ବିଧିତ ପିଲାମାନଙ୍କୁ ଏଠାରେ ନାମ ଲେଖାଇବା ପାଇଁ ପ୍ରେରଣା ଦେବେ ବୋଲି କହିଥିଲେ । ପୁନର୍ବାସ ଅନୁଷ୍ଠାନ ପକ୍ଷରୁ ମାଧପୁରରେ ଚାଲିଥିବା ଫିଜୋଥେରାପି କେନ୍ଦ୍ର ପରିଦର୍ଶନକରି ସେହି କେନ୍ଦ୍ରକୁ ଅଧିକ ପିଲାମାନଙ୍କ ପାଇଁ ମଞ୍ଜୁରୀ କରିବେ ବୋଲି ସୁପାରିଶ କରିବେ ବୋଲି କହିଥିଲେ । ଜିଲ୍ଲାରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଚାଲିଥିବା ସ୍ୱତନ୍ତ୍ର ବିଦ୍ୟାଳୟର ସ୍ଥିତି, ଭିନ୍ନକ୍ଷମ ଭତା, ରାସନକାର୍ଡ, ବାଣୀଶ୍ରୀ ଶିକ୍ଷାବୃତି, ଭିନ୍ନକ୍ଷମ ପିତାମାତାଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ବୃତି, ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି ବିବାହ କଲେ ପ୍ରୋତ୍ସାହନରାଶି, ଭିନ୍ନକ୍ଷମ ଚିହ୍ନଟ ଓ ବଂଟନ କରାଯାଉଥିବା ସହାୟକ ଉପକରଣ, କମ ସୁଧ ହାରରେ ଋଣ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଓ ଆଧାର ସିଡିଂ ପ୍ରଭୃତି କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ନିମାଇଁ ଚରଣ ମାନସିକ ନୁ୍ୟନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ, ଦୃଷ୍ଟିବାଧିତ ବିଦ୍ୟାଳୟର କର୍ମଚାରୀ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସମୀକ୍ଷାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ପୁନଃ ଥଇଥାନ କେନ୍ଦ୍ରର ମୁଖ୍ୟ ପରିଚାଳିକାଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ