Sunday , April 2 2023
Breaking News
Home / ବିଶେଷ / ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ

ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହିତ

କେନ୍ଦ୍ରାପଡା, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପଂଚମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟୀକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ଉପସଭାପତି ସୁମିତ୍ରା ସାହୁ, ଜିଲ୍ଲାପାଳ ଅମ୍ରୁତ ଋତୁରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ପ୍ରମୁଖ ଯୋଗଦେଇ ପ୍ରଥମେ ପୂର୍ବ ବୈଠକର ଦୃଢିକରଣ ଉପରେ ଆଲୋଚନା ଆରମ୍ଭ କରିଥିଲେ । ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତି ଗୁଡିକର କାର୍ଯ୍ୟକାରୀତା ହେଉନଥିବା ଜିଲ୍ଲା ପରିଷଦ ସଦସ୍ୟମାନେ ଅଭିଯୋଗ କରିଥିଲେ । ଏହି ଜିଲ୍ଲା ସରକାରଙ୍କ ବିଭିନ୍ନ ଗରୀବ କଲ୍ୟାଣ ଯୋଜନା କାର୍ଯ୍ୟକାରୀତା କ୍ଷେତ୍ରରେ ଓ ବିକାଶ କ୍ଷେତ୍ରରେ ରାଜ୍ୟରେ ୨୭ନମ୍ବର ସ୍ଥାନରେ ରହିଥିବା ବେଳେ ବିଭିନ୍ନ ବିଭାଗ ଗୁଡିକ ଜନପ୍ରତିନିଧିମାନଙ୍କ ପରାମର୍ଶକୁ ଉଚିତ ଧ୍ୟାନ ଦେଉନଥିବା ଅଭିଯୋଗ ଆସିଥିଲା । କୋଭିଡ ସମୟରେ ଏହି ଜିଲ୍ଲାକୁ ସରକାରୀ ଭାବେ ଆସିଥିବା ମାସ୍କ ଓ ସାନିଟାଇଜରର ତଥ୍ୟ କରା ଯାଉନଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପୂର୍ବ ବୈଠକର ବିବରଣୀରେ ସୁଧ ଅର୍ଥରୁ ୩ଟି ପ୍ରକଳ୍ପ କାର୍ଯ୍ୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ସଂପୃକ୍ତ ପ୍ରକଳ୍ପର ନାମ ବିବରଣୀରେ ଉଲ୍ଲେଖ ନଥିବା ଅଭିଯୋଗ ଆସିଥିଲା । ସରକାରଙ୍କ ପଂଚାୟତ ଆଲୋକୀକରଣ ଯୋଜନାରେ ଭୂବନେଶ୍ୱରର ଏକ ସଂସ୍ଥା ଦାୟୀତ୍ୱ ନେଇଥିବା ବେଳେ ଖୁବ କମ ଦିନ ମଧ୍ୟରେ ସେହି ଆଲୋକୀକରଣ ଅଂଚଳ ଅନ୍ଧାର ହୋଇଯାଉଥିବା ଅଭିଯୋଗ ଆସିଥିଲା । ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର ହୋଇଥିବା ବେଳେ ସେସବୁକୁ ପରୀକ୍ଷଣ କରାଯିବା ପାଇଁ ଦାବି ହୋଇଥିଲା । ଆଳି ବ୍ଲକରେ ରୋଗୀ କଲ୍ୟାଣ ସମିତି ବୈଠକ ହେଉନଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାରେ ୨୨୪ଟି ଡାକ୍ତର ପଦବୀ ମଞ୍ଜୁରୀ ଥିବା ବେଳେ ସେଥିରୁ ମାତ୍ର ୯୧ଜଣ ଡାକ୍ତର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବସ୍ଥିତ ଥିବାରୁ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ବ୍ୟାହତ ହେଉଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଥିଲା । ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଜଳାନ୍ତଙ୍କ ଇେଞ୍ଜକସନ ମିଳୁନଥିବା ଅଭିଯୋଗ ହୋଇଥିଲା । ଶ୍ୟାମଗୁଡିଆ ଠାରେ ନିର୍ମାଣାଧିନ ଏକଶହ ବେଡ ବିଶିଷ୍ଟ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ପୂର୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ପ୍ରଦାନ କରାଯାଇଥିଲା । ରାଜସ୍ୱ ବିଭାଗ ପକ୍ଷରୁ ଜମି ହସ୍ତାନ୍ତର ହୋଇପାରୁନଥିବାରୁ କେନ୍ଦ୍ରାପଡା ବ୍ଲକ ବ୍ୟତିତ ଅନ୍ୟ ବ୍ଲକ ଗୁଡିକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ହୋଇପାରୁନଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ଜିଲ୍ଲାର ଗୋମିତ୍ରମାନଙ୍କୁ ନିୟମିତ ଚାକିରୀ ପ୍ରଦାନ କରାଯିବା କାର୍ଯ୍ୟ ତୁରନ୍ତ କରାଯିବାକୁ ସଂପୃକ୍ତ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ମୃତିକା ସଂରକ୍ଷଣ ବିଭାଗ କାର୍ଯ୍ୟ ସନ୍ତୋଷ ଜନକ ହେଉନଥିବା ଅଭିଯୋଗ ହୋଇଥିଲା । ମହାକାଳପଡା ବ୍ଲକ ଅନ୍ତର୍ଗତ ଲାଚୁଁଡାରେ ମନରେଗା ପ୍ରକଳ୍ପ କାର୍ଯ୍ୟରେ ଦିଲ୍ଲୀରେ ଥିବା ଯୁବକ ଓ ୮ମ ଏବଂ ନବମ ଶ୍ରେଣୀ ଛାତ୍ରଙ୍କ ନାମ ମଷ୍ଟର ରୋଲରେ କାର୍ଯ୍ୟରେ ନିୟୋଜିତ ହୋଇଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାର ବିଭିନ୍ନ ପଂଚାୟତରେ ଗୋଚର ଜମିରେ ପାର୍କ ନିର୍ମାଣ ହୋଇଥିବା ସମ୍ପର୍କରେ ମଧ୍ୟ ଅଭିଯୋଗ ଆସିଥିଲା । ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ସରସ ସୁନ୍ଦର କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ଦେବଦତ ଚୈାଧୁରୀ, ସନ୍ତୋଷ କୁମାର ଜେନା, ଧନଞ୍ଜୟ ବୋଷ, ନାରଦ ଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ସେଠୀ ପ୍ରମୁଖ ବିଭିନ୍ନ ବିଷୟରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.