କେନ୍ଦ୍ରାପଡ଼ା ୨୨/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୪୫ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପୂର୍ବାହ୍ନ ଓ ଅପରାହ୍ନ ରେ ଖୋଲା ରଖିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଦେଲେ କଡା ନିର୍ଦ୍ଦେଶ । ଗତକାଲି ସମସ୍ତ ଡାକ୍ତରଖାନା କୁ ନିର୍ଦ୍ଦେଶ ଦିଆଗଲା । ସକାଳ ୮ ଟା ରୁ ମଧ୍ୟାହ୍ନ ୧୨ ଟା ଓ ଅପରାହ୍ନ ୩ ଟା ରୁ ଅପରାହ୍ନ ୫ ଟା ପର୍ୟ୍ୟନ୍ତ ଖୋଲା ରହିବ କେନ୍ଦ୍ରାପଡା ଜିଲ୍ଲା ର ସମସ୍ତ ୪୫ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଫାଟକ କାନ୍ଥ ରେ ସମୟ ନିର୍ଘଣ୍ଟ ବଡ ଅକ୍ଷରରେ ସ୍ପଷ୍ଟ ଭାବେ ଲେଖିବା ପାଇଁ ଦିଆଗଲା ନିର୍ଦ୍ଦେଶ । ସପ୍ତାହେ ମଧ୍ୟରେ ଲେଖା ଯିବ । ଗତ ବୁଧବାର ୨୦ ତାରିଖରେ ଅପରାହ୍ନ ରେ ସମ୍ପୂର୍ଣ ବନ୍ଦ ରହି ତାଲା ଝୁଲୁଥିବା ବିଷୟ ରେ ସମ୍ପୃକ୍ତ ଡାକ୍ତରଖାନା ଦ୍ବୟ ର ଅଧିକାରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି ।
ଗତ ଜାନୁଆରୀ ୧୧ (ସୋମବାର) ଓ ଜାନୁଆରୀ ୨୦ (ବୁଧବାର) ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ତାଙ୍କ ସହଯୋଗୀ ସମାଜସେବୀ, ସ୍ଥାନୀୟ ଜନସାଧାରଣ, ସଚେତନ ନାଗରିକ ମାନଙ୍କ ସହ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ର ୫ ଟି ( ଚାନ୍ଦୋଳ, ଦାନପୁର, ହରିଅଙ୍କ, ସନ୍ଥପୁରା, ବିରାନୀଳକଣ୍ଠପୁର ) ଗରଦପୁର ବ୍ଲକ ର ୪ ଟି ( ମଧୁଶାସନ, କୋରୁଆ, ଗରଦପୁର, ତେଣ୍ଡାକୁଡା ) ମାର୍ଶାଘାଇ ବ୍ଲକର ୩ ଟି ( କରିଲପାଟଣା, ନାନକାର, ରଙ୍କାଳ ରଘୁନାଥପୁର ) ଏହିପରି ମୋଟ ୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ, ଏସମ୍ପର୍କରେ ବିସ୍ତୃତ ଭାବେ କେନ୍ଦ୍ରାପଡା ର ଜିଲ୍ଲାପାଳ ଙ୍କୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦୁଇ ଥର ଲେଖାଏଁ ଜଣାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଏଡ଼ିଏମଓ ଉଭୟ ଙ୍କୁ ବ୍ୟକ୍ତିଗତ ଭାବେ କାର୍ୟ୍ୟାଳୟ ରେ ଭେଟି ବୁଧବାର ସନ୍ଧ୍ୟାରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ମହୋଦୟ ଅତ୍ୟନ୍ତ ଗମ୍ଭୀରତା ର ସହ ଏହି ବିଷୟ କୁ ନେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ବୁଧବାର ଦିନ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର