କେନ୍ଦ୍ରାପଡା, ୨୧/୦୧/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ପାଟଣା ରଶ୍ମିତା ପରିଡା ହତ୍ୟା ଘଟଣାରେ ମୃତକର ୭ମାସର ପୁଅ ଓ ୪ବର୍ଷର ଝିଅକୁ ମୃତକର ମା’କୁ ହସ୍ତାନ୍ତର ଦାବିରେ ରଶ୍ମିତାର ଅସହାୟା ବିଧବା ମା ଓ ସାନ ଭଉଣୀ ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ନିକିରାଇ ପାଟଣାର ବଧୁ ରଶ୍ମିତା ପରିଡାଙ୍କୁ ଗତ ନଭେମ୍ବରମାସ ୧୩ତାରିଖରେ ତା’ର ଶାଶୁଘର ଲୋକମାନେ ମିଳିମିଶି ହତ୍ୟା କରି ତାକୁ ଆତ୍ମହତ୍ୟାର ରୂପ ଦେବାକୁ ଯୋରଦାର ଲାଗିପଡିଛନ୍ତି । ରଶ୍ମିତାର ମା ଜଣେ ଅସହାୟା ବିଧବା ମହିଳା ହୋଇଥିବାର ସୁଯୋଗ ନେଇ ଅର୍ଥ ବଳରେ ଆଇନ ହାତରୁ ନିର୍ଦ୍ଧୋଷରେ ଖଲାସ ହୋଇଯିବେ ବୋଲି ଭାବି ନେଇଛନ୍ତି ଅଭିଯୁକ୍ତ ହତ୍ୟାକାରୀମାନେ । ରଶ୍ମିତାର ଏକ ୪ବର୍ଷର ଝିଅ ଓ ୭ମାସର ପୁଅ ଅଛନ୍ତି । ମାକୁ ମାରିଦେବା ପରେ ବାପା ଜେଲରେ ଅଛି । ଛୋଟ ଛୋଟ ପିଲାମାନେ ଏବେ ଅନାଥ ହୋଇ ଯାଇଛନ୍ତି । କିନ୍ତୁ ପରିତାପର ବିଷୟ ହତ୍ୟା ଘଟଣାକୁ ୨ମାସରୁ ଅଧିକ ବିତିଥିଲେ ମଧ୍ୟ ପିଲାମାନେ ଏବେ ହତ୍ୟାକାରୀଙ୍କ କବଜାରେ ରହିଛନ୍ତି । ହତ୍ୟାକାରୀମାନେ ୭ମାସର ପୁଅକୁ ମାରି ଗୋଡଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । କୈାଣସି ସୁତ୍ରରୁ ଖବର ପାଇ ରଶ୍ମିତାର ମା ପୋଲିସ ସହାୟତାରେ ପୁଅକୁ କୋର ଗ୍ରାମରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ଜିମା ଦେଇଥିଲେ । ଶିଶୁ ମଙ୍ଗଳ ସମିତି ଶିଶୁଟିକୁ ଡାକ୍ତରଖାନାରେ ପରୀକ୍ଷା କରାଇ ଆଇ ପାଖରେ ଛାଡିବ ବୋଲି କହିଥିଲା । ଛୋଟ ଶିଶୁଟିକୁ ଲାଳନପାଳନ କରିପାରିବକି ନାହିଁ ସେଥି ନିମନ୍ତେ ଶିଶୁ ମଙ୍ଗଳ ସମିତି ପକ୍ଷରୁ ରଶ୍ମିତାର ବାପଘରକୁ ଯାଇ ତଦନ୍ତ କରାଯାଇଥିଲା । କିନ୍ତୁ ପରେ କୈାଣସି ଚାପର ବସବର୍ତୀ ହୋଇ ଶିଶୁ ମଙ୍ଗଳ ସମିତି ପିଲାଟିକୁ ଆଇକୁ ହସ୍ତାନ୍ତର କରିନଥିଲେ ବୋଲି ଅଭିଯୋଗ ହୋଇଛି । ଏସମ୍ପର୍କରେ ରଶ୍ମିତାର ମା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଥାନା ପୋଲିସ ଓ ଶିଶୁ ମଙ୍ଗଳ ସମିତିକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେବି କେହି ଶୁଣିଲେ ନାହିଁ । ଟଙ୍କା ଦେଲେ ପିଲାକୁ ଦେବୁ ଓ ଝିଅକୁ ଖୋଜିଦେବୁ ବୋଲି ଅଭିଯୋଗ ନେଇ ରଶ୍ମିତାର ମା ଓ ସାନ ଭଉଣୀ ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଧାରଣାସ୍ଥଳକୁ ଆସି ବୁଝାଶୁଝା କରି ୭ଦିନ ମଧ୍ୟରେ ଝିଅକୁ ଉଦ୍ଧାର କରି ପୁଅ ଓ ଝିଅକୁ ଆଇର ଜିମା ଦେବେ ବୋଲି ପ୍ରତିଶୃତି ଦେବା ପରେ ରଶ୍ମିତାର ଅସହାୟା ବିଧବା ମା ଓ ସାନ ଭଉଣୀ ଧାରଣା ପ୍ରତ୍ୟାହାର କରି ଉଠିଯାଇଥିଲେ । ଏହି ଘଟଣାରେ ନିକିରାଇ ଥାନା ପୋଲିସ ଓ ଶିଶୁ ମଙ୍ଗଳ ସମିତିର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ରଶ୍ମିତାର ୪ବର୍ଷର ଝିଅକୁ ଉଦ୍ଧାର କରିବା ଓ ଅପରାଧୀମାନଙ୍କୁ ଗିରଫ କରିବାରେ ନିକିରାଇ ଥାନା ପୋଲିସର ଉଦାସୀନତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଓଡ଼ିଶା ସମାଚାର