ଗରଦପୁର , ୨୧/୦୧/୨୦୨୧(ଓଡ଼ିଶା ସମାଚାର)- ମୁମ୍ବାଇ ରୁ ଘରକୁ ଆସିବା ବେଳେ ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ଦୀପ୍ତିରଂଜନ ସାହୁ( ୨୭) କେଉଁଆଡ଼େ ବାଟରେ ନିଖୋଜ ହୋଇଯାଇଛନ୍ତି । ପରିବାରଙ୍କ ସମେତ ରେଳବାଇ ପୋଲିସ ତଲାସି କରୁଥିଲେ ସୁଦ୍ଧା ଦୀପ୍ତିରଂଜନ ଙ୍କର କୌଣସି ଖବର ପାଇପାରିନାହାନ୍ତି । ମିଳିଥିବା ସୂଚନା ରୁ ପ୍ରକାଶ ଯେ ଦୀପ୍ତିରଂଜନ ମୁମ୍ବାଇର ଏକ ଗ୍ୟାରେଜ ରେ ରଙ୍ଗ କାମ କରନ୍ତି । କରୋନା ସମୟରେ ସେ ଘରକୁ ଆସିଥିଲେ । ଗତ ୨ ମାସ ହେବ ସେ ମୁମ୍ବାଇ ଯାଇ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ଗତ ୫ ଦିନ ତଳେ ତାଙ୍କ ଘରକୁ ଖବର ଆସିଲା ଦୀପ୍ତିରଂଜନଙ୍କୁ ଭୁତ ଲାଗୁଛି, ତାର ଦେହ ଭଳ ରହୁନାହିଁ, ତା ମୁଣ୍ଡ ଠିକ ଭାବେ କାମ କରୁନାହିଁ । ଏ ଖବର ପାଇ ପରିବାର ପକ୍ଷରୁ ଦୀପ୍ତିରଂଜନକୁ ଘରକୁ ନେଇଆସିବା ପାଇଁ ଫ୍ଲାଇଟ ଟିକେଟ ର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ନିକଟରେ ରହୁଥିବା ଏହି ଗ୍ରାମର କେଦାର ସାହୁ ତାଙ୍କୁ ଫ୍ଲାଇଟ ରେ ଛାଡ଼ିବାକୁ ମୁମ୍ବାଇ ଷ୍ଟେସନ ରେ ଛାଡ଼ିବାକୁ ୧ ଘଂଟା ବିଳମ୍ବ ହେବାରୁ ଫ୍ଲାଇଟ ଟିକଟ କ୍ୟାନସେଲ ହୋଇଯିବାରୁ ସେ ଆଉ ଫ୍ଲାଇଟ ରେ ଆସିପାରିଲେ ନାହିଁ । ସେଥିପାଇଁ ଟ୍ରେନ୍ ରେ ଆସିବା ପାଇଁ ଲୋକମାନ୍ୟ ତିଲକ ଟ୍ରେନ୍ ରେ ତତକାଳ ଟିକଟ କରାଗଲା । କେଦାର ସାହୁ ଦୀପ୍ତିରଂଜନଙ୍କୁ ସାଙ୍ଗରେ ଆଣି ମଙ୍ଗଳବାର ରାତିରେ ଟ୍ରେନ୍ ଯୋଗେ କଟକ ଷ୍ଟେସନ ଅଭିମୁଖେ ଆସିଲେ । ଆଜି ସକାଳ ୮ ଟାରେ ଲୋକମାନ୍ୟ ତିଲକ ଟ୍ରେନ୍ କଟକ ଷ୍ଟେସନ୍ ରେ ଲାଗିଲା । ଦୀପ୍ତିରଂଜନ କୁ ସାଙ୍ଗରେ ଆଣିବା ପାଇଁ ପରିବାର ଲୋକ କଟକ ରେଳ ଷ୍ଟେସନ୍ ରେ ଅପେକ୍ଷା କରିଥିଲେ । ଟ୍ରେନ୍ ଲାଗିବା ପରେ ବଗି ରୁ କେଦାର ନିଜ ବ୍ୟାଗ ଧରି ଓହ୍ଲାଇଲେ କିନ୍ତୁ ଦୀପ୍ତିରଂଜନ ଟ୍ରେନ୍ ରୁ ଓହ୍ଲାଇନଥିଲେ । ଦୀପ୍ତିରଂଜନଙ୍କ ଗଂଜି, ପ୍ୟାଂଟଓ ଏକ ବ୍ୟାଗ୍ କେଦାର ବଗିରୁ ଓହ୍ଲାଇଥିଲେ । ଦୀପ୍ତିରଂଜନ ଟ୍ରେନ୍ ରୁ ନଓହ୍ଲାଇବାର ଦେଖି ଏ ସମ୍ପର୍କରେ କେଦାରକୁ ପଚାରିବାରୁ ଦୀପ୍ତିରଂଜନ ର ମୁଣ୍ଡ ଖରାପ ହୋଇଯାଇଥିବା କେଦାର କହିଥିଲା ଏବଂ ବଗିରୁ ଏହି ଜିନିଷ ପତ୍ର ରଖିବା ଭିତରେ ସେ ଏଇଠି କେଉଁଠି ଏପଟ ସେପଟ ହୋଇଗଲା କିମ୍ବା କୁଆଡ଼େ ପଳାଇଲା ବୋଲି କେଦାର ମନ୍ତବ୍ୟ ଦେଇଥିଲା । ଦୀପ୍ତିରଂଜନ କୁ ନପାଇ ନିରାଶ ହୋଇ ପରିବାର ତରଫରୁ କଟକ ରେଳବାଇ ପୋଲିସ ଓ ଷ୍ଟେସନ୍ ମାଷ୍ଟରଙ୍କୁ ଜଣାଇଥିଲେ । ରେଳବାଇ ପୋଲିସ କଟକ , ଭୁବନେଶ୍ୱର ଓ ପୁରୀ ଷ୍ଟେସନ ପର୍ଯ୍ୟନ୍ତ ସବୁଆଡ଼େ ଖବର ନିଆଯାଇଥିଲେ ମଧ୍ୟ ରାତି ସୁଦ୍ଧା ଦୀପ୍ତିରଂଜନଙ୍କର କୌଣସି ସନ୍ଧାନ ମିଳିନାହିଁ । ଯଦି କେହି ଦୀପ୍ତିରଂଜନ ଙ୍କ ସନ୍ଧାନ ପାଆନ୍ତି ୯୭୭୭୧୧୦୯୩୮ ନମ୍ବରରେ ଯୋଗାଯୋଗ କରିବା ପାଇଁ ପରିବାର ତରଫରୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର