ଗରଦପୁର ୨୧/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ଅମି୍ରତ ଋତୁରାଜ ଆଜି ଅଚାନକ ଗରଦପୁର ଗସ୍ତ କରିଥିଲେ । ଗରଦପୁର ବ୍ଲକ୍ କାର୍ଯ୍ୟାଳୟରେ ଜିଲାପାଳ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଜିଲାପାଳ ଶ୍ରୀ ଋତୁରାଜ ଙ୍କୁ ପାଛୋଟି ନେଇଥିଲେ । ବ୍ଲକ୍ କାର୍ଯ୍ୟାଳୟର ସଭା ଗୃହରେ ଜିଲାପାଳ କର୍ମଚାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ ବ୍ଲକ୍ ରେ ଚାଲିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବିଡ଼ିଓ ରଂଜିତ କୁମାର ମଲିକ ଙ୍କ ଠାରୁ ପଚାରି ବୁଝିଥିଲେ । ବ୍ଲକ୍ ରେ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ର କୁ ମଡ଼େଲ ଅଙ୍ଗନୱାଡ଼ି କେନ୍ଦ୍ର ଭାବରେ କରିବା ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ପ୍ରତି ମଡ଼େଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଗୋଟିଏ ସୋଲାର ଲାଇଟ୍ , ଗୋଟିଏ ଏଲଇଡ଼ି ଟିଭି ଓ ଗୋଟିଏ ଫ୍ୟାନ୍ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପିଲାମାନେ ବସିବାପାଇଁ ଅଳ୍ପ ଊଚତା ର ଡ଼େକ୍ସ ବେଂଚ କରିବା ପାଇଁ କହିଥିଲେ । ସେହିପରି ପଂଚାୟତ ପୋଖରୀ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଆସନ୍ତା ଫେବୃୟାରୀ ୨୮ ତାରିଖ ମଧ୍ୟରେ ପ୍ରତି ପଂଚାୟତରେ ଅନ୍ୟୁନ ୩ ଟା ଲେଖା ପୋଖରୀ ସୌନ୍ଦର୍ଯ୍ୟକରଣ କରିବା ପାଇଁ କହିଥିଲେ । ପୋଖରୀ ଚାରି ପଟରେ ୱାଲ , ପଥର ବୁରୁଜ , ପୋଖରୀ ହୁଡ଼ାରେ ବେଂଚ ନିର୍ମାଣ ଓ ଆଲୋକିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତି ପଂଚାୟତରେ ଗୋଟିଏ ଲେଖା ମିନି ଷ୍ଟାଡ଼ିଅମ ନିର୍ମାଣ କରିବା ସହିତ ଷ୍ଟାଡ଼ିଅମ ଚାରିପାଖରେ ସିମେଂଟ ବେଂଚ ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ । ବିଶେଷକରି ମହାତ୍ମାଗନ୍ଧୀ ଜାତିୟ ନିଶ୍ଚିତ କର୍ମଯୋଜନାକୁ ଫଳପ୍ରଦ ଭାବରେ ପ୍ରତି ପଂଚାୟତରେ କାର୍ଯ୍ୟକାରୀ କରିବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏହି ବୈଠକରେ ବିଡ଼ିଓ ଶ୍ରୀ ମଲିକଙ୍କ ସମେତ ବ୍ଲକ୍ ର ସହକାରୀ ଯନ୍ତ୍ରୀ , ସମସ୍ତ କନିଷ୍ଠ ଯନ୍ତ୍ରୀ , ଏସଇଓ ଖଗେଶ୍ୱର ସେଠୀ,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ,ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଓ ଓଡ଼ିଶା ଜିବୀକା ମିଶନ ର କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ପରେ ଜିଲାପାଳ ଶ୍ରୀ ଋତୁରାଜ , ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ଙ୍କ ସହିତ ତେଣ୍ଡାକୁଡ଼ା ପଂଚାୟତ ଗସ୍ତ କରିଥିଲେ । ଏହି ପଂଚାୟତର ଆଳିଜଙ୍ଗା ଗ୍ରାମରେ ପହଂଚି ସେଠାରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନ କୁ ବୁଲି ଦେଖିଥିଲେ । ଏଥିସହିତ ଅଂଚଳର ସର୍ବ ପୁରାତନ ଫଜଲହକ୍ ହାଇସ୍କୁଲ ମଡ଼େଲ ସ୍କୁଲ ର ମାନ୍ୟତା ପାଇଥିବାରୁ ଜିଲାପାଳ ଶ୍ରୀ ଋତୁରାଜ ହାଇସ୍କୁଲ କୁ ଯାଇ ଏହାର ଭିତିଭୂମି ବୁଲି ଦେଖିବା ସହିତ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ସମ୍ପର୍କରେ ଅନୁଧ୍ୟାନ କରି ଫେରିଯାଇଥିଲେ । ଓଡ଼ିଶା ସମାଚାର