ଗରଦପୁର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବାବେଳେ କେନ୍ଦ୍ରାପଡ଼ା ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ ଅଫିସ) ପକ୍ଷରୁ ଆଜି ଗରଦପୁର, ପାଟକୁରା ଅଂଚଳରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । କେନ୍ଦ୍ରାପଡ଼ାରୁ ଏକ ସଚେତନତା ରଥ ନୂଆପଡ଼ା, ପାଟକୁରା, ଗରଦପୁର ଆଦି ଅଂଚଳରେ ପରିକ୍ରମା କରି ଗାଡ଼ି ଚଳାଇବା ସମୟରେ ହେଲମାଟ ପିନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ରେ କଥା ନହେବା, ମଦ୍ୟପାନ କରି ଗାଡ଼ି ନଚଳାଇବା , ଚାରି ଚକିଆ ଯାନରେ ସିଟ ବେଲ୍ଟ ବାନ୍ଧିବା ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସେହିପରି ଆଜି ପାଟକୁରା ରେ ସପ୍ତାହିକ ହାଟ ଥିବାରୁ ପାଟକୁରା ଥାନା ଗେଟ୍ ସମ୍ମୁଖରେ ଘୋଡ଼ାନାଚ ମାଧ୍ୟମରେ ଏହି ସବୁ ସଚେତନତା ର ବାର୍ତା ଦିଆଯାଇଥିଲା । ହାଟକୁ ଆସିଥିବା ଲୋକମାନେ ଏହି ଘୋଡ଼ାନାଚ ଦେଖିବା ସହିତ ସଚେତନ ହୋଇଥିଲେ । ଅନ୍ୟପକ୍ଷରେ ଗରଦପୁର ଛକରେ ଗାଡ଼ି ମଟର ଯାଂଚ କରାଯାଇଥିଲା । ଯାଂଚ କରିବା ସମୟରେ ପୁରୁଷୋତମପୁର ର ନୀରଂଜନ ପଣ୍ଡା ନାମକ ଜଣେ ଯୁବକ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ରେ କଥା ହୋଇ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଧରାପଡ଼ିଥିଲେ । ତାଙ୍କୁ ୫ ହଜାର ଟଙ୍କାର ଫାଇନ୍ କରାଯାଇଥିଲା । ଓଡ଼ିଶା ସମାଚାର