କେନ୍ଦ୍ରାପଡା, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ଧର୍ମପୁରୁଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ମାସ୍କ, ସାନିଟାଇଜର ଓ ଫଳ ପ୍ୟାକେଟ ବଂଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ସମାଜସେବୀ ଭଗବାନ ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଡା. ବୀରେନ୍ଦ୍ର କୁମାର ଦାସ. ଡା. ସଞ୍ଜିତ କୁମାର ସେଠୀ ଓ ଡାକ୍ତରଖାନା ପରିଚାଳକ ସୁବାଶିଷ ସାଥୁଆ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ମାସ୍କ, ସାନିଟାଇଜର ଓ ଫଳ ପ୍ୟାକେଟ ବଂଟନ କରିଥିଲେ । ଏହାପରେ ସହରର ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ମଧ୍ୟ ଶ୍ରୀ ବିଶ୍ୱାଳ ଫଳ ପ୍ୟାକେଟ ବଂଟନ କରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ତାଙ୍କର ୧୦୨ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ବସପୁରରେ ଏକଦିବସୀୟ ଆଧ୍ୟାତ୍ମିକ ଦାନଧର୍ମ ସମାରୋହ ଅନୁଷ୍ଠିତ ହେଉଛି । ଏହି ଅବସରରେ ଧର୍ମଯଜ୍ଞ – ଗୀତାପାଠ, ଦୀପଦାନ ଓ ଦାନଧର୍ମ (ଫଳ,ଅନ୍ନ, ବସ୍ତ୍ର ) ଧର୍ମକାର୍ଯ୍ୟମାନ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ସେହି ମହନୀୟ ଚିନ୍ତାଧାରା ଓ ଧର୍ମମାର୍ଗକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସପୁର ଗ୍ରାମରେ ଗତ ୧୯୧୯ ମସିହା ଜାନୁଆରୀମାସ ୧୯ତାରିଖରେ ଜନ୍ମଗ୍ରହଣ କରିଥିବା ଧର୍ମପୁରୁଷ ସ୍ୱର୍ଗତ ଧନୁର୍ଜୟ ବିଶ୍ୱାଳ ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଚରଣାଶ୍ରିତ । ବିଶିଷ୍ଟ ସମାଜସେବୀ ଓ ଧର୍ମପୁରୁଷ ସ୍ୱର୍ଗତ ବିଶ୍ୱାଳ ଜଣେ ଭଗବତ ଗୀତାର ସାରମର୍ମ କର୍ମ, ଭକ୍ତି, ଜ୍ଞାନ ଓ ଧ୍ୟାନ ଯୋଗର ପରମ ଉପାସକ ଓ ସଫଳ ପୁରୁଷ ରୂପେ ଯେତିକି ନମସ୍ୟ ତାଙ୍କର ଚରମ ତ୍ୟାଗନିଷ୍ଠା ଏବଂ ଦାନଧର୍ମର ପରାକାଷ୍ଠା ସେତିକି ପ୍ରଶଂସନୀୟ ।
କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ପ୍ରଥମ ଅଧ୍ୟକ୍ଷ ଭାବେ ସେ ସର୍ବତ୍ର ପରିଚିତ । ଦୁର୍ଦ୍ଧିନ ସମୟରେ ବହୁ ଗରିବ ଲୋକଙ୍କୁ ସାହାଯ୍ୟକରି ଜଣେ ଦାନଧର୍ମ ନିଷ୍ଠ ବ୍ୟକ୍ତିର ପ୍ରକୃତ ପରିଚୟ ସୃଷ୍ଟି କରିଯାଇଛନ୍ତି । ବିଭିନ୍ନ ଧର୍ମ ଓ ସଂପ୍ରଦାୟ ମଧ୍ୟରେ ଐକ୍ୟ ସୃଷ୍ଟି କରିବାରେ ସେ ଜଣେ ସଫଳ ସାଧକ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଗଗନବିହାରୀ ଜେନା, ସଞ୍ଜୟ କୁମାର ଜେନା, ରମାକାନ୍ତ ସ୍ୱାଇଁ, ହାଡିବନ୍ଧୁ ସିଂ, ବିକାଶ ରଞ୍ଜନ ସାମଲ, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, ମାନସ କୁମାର ସାହୁ, କିଶେର ଚନ୍ଦ୍ର ପ୍ରଧାନ, ଟେନିସ ବଲ କ୍ରୀକେଟ ଆସୋସିଏସନର ସମ୍ପାଦକ ଜ୍ୟୋର୍ତିମୟ ଦାସ, ଯୁଗ୍ମ ସମ୍ପାଦିକା ସସ୍ମିତା ପଣ୍ଡା, ସ୍ୱାଧାର ଗୃହର ତତ୍ୱାବଧାରିକା ମିନତୀ ମହାରଣା, ରେନୁଜା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର