Wednesday , March 29 2023
Home / ବିଶେଷ / ତେଜେଶ୍ୱର ପରିଡ଼ାଙ୍କ ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ତେଜେଶ୍ୱର ପରିଡ଼ାଙ୍କ ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ପାଟକୁରା, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ର ପୂର୍ବତନ ସଭାପତି ତେଜେଶ୍ୱର ପରିଡା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ତୋଫାନୀ ଗସ୍ତ କରି ପରିଦର୍ଶନ କରିଛନ୍ତି । ମାର୍ଶାଘାଇ ବ୍ଳକର ନାନକାର ଓ ରଙ୍କାଳ ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗରଦପୁର ବ୍ଲକର ଗରଦପୁର ଓ ତେଣ୍ଡାକୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଡେରାବିଶ ବ୍ଲକର ସନ୍ଥପୁରା ଓ ବୀରନୀଳକଣ୍ଠପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ସ୍ଥାନୀୟ ସମାଜସେବୀ ଓ ସଚେତନ ନାଗରିକମାନଙ୍କ ସହ ପରିଦର୍ଶନ କରିଥିଲେ । ଶ୍ରୀ ପରିଡ଼ା ଆଜି ସକାଳୁ ଅଚାନକ ଏହି ସମସ୍ତ ୬ଟି ସ୍ୟାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦିନ ତମାମ ଡାକ୍ତର, ଫାର୍ମାସୀଷ୍ଟ , ନର୍ସ, ଅନ୍ୟ କର୍ମଚାରୀ, ରୋଗୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମୟ ପ୍ରତିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟା ରୁ ୫ଟା ହୋଇଥିଲେ ମଧ୍ୟ କିଛି ସ୍ୱାସ୍ଥ୍ୟ କେନ୍ଦ୍ର ଅପରାହ୍ନ ୩ଟା ରୁ ୫ଟା ବନ୍ଦ ରହୁଥିବାର ପୂର୍ବରୁ ଅଭିଯୋଗ ହୋଇ ଆସୁଥିବାରୁ ଶ୍ରୀ ପରିଡ଼ା ଆଜି ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଭେଟି ଏହି ସମୟରେ ଡାକ୍ତରଖାନା ପ୍ରତିଦିନ ଖୋଲା ରଖିବା ପାଇଁ ନିବେଦନ କରିଥିଲେ । କିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ଅନ୍ୟ କର୍ମଚାରୀ ପ୍ରତିଦିନ ଉପସ୍ଥିତ ରହୁନଥିବା ଓ ଡେରିରେ ପହଂଚି ଶୀଘ୍ର ଚାଲିଯାଉଥିବାରୁ ଏ ସବୁରୁ ନିବୃତ୍ତ ରହିବା ପାଇଁ ଡାକ୍ତର ଓ କର୍ମଚାରୀମାନଙ୍କୁ ଅନୁରୋଧ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଆବଶ୍ୟକତା ବିଷୟରେ ମଧ୍ୟ ଅବଗତ ହୋଇଥିଲେ । ଡେରାବିଶ ବ୍ଲକର ସନ୍ଥପୁରା ଓ ବୀରନୀଳକଣ୍ଠପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଜି ଅପରାହ୍ନରେ ପରିଦର୍ଶନ ସମୟରେ ଅପରାହ୍ନ ୩ଟା ରୁ ୫ ଟା ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହି ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହି କ୍ୟାମ୍ପସ ଦୁଇଟିରେ ଜଣେ ହେଲେ ଡାକ୍ତର, ଫାର୍ମାସୀଷ୍ଟ , ନର୍ସ ବା କର୍ମଚାରୀ ମଧ୍ୟ ନ ଥିଲେ । ଶ୍ରୀ ପରିଡ଼ା ପୂର୍ବରୁ ଗତ ୧୧ ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକର ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଆଜି ପୁଣି ଏହି ଅଞ୍ଚଳର ଆଉ ୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ) ଓ ଅତିରିକ୍ତ ଜିଲ୍ଲା ମୁଖ୍୍ୟ ଚିକିତ୍ସା ଅଧିକାରୀ (ଏଡ଼ିଏମଓ) ଙ୍କୁ ତାଙ୍କର କାର୍ୟ୍ୟାଳୟରେ ଭେଟି ଏହି ସମସ୍ତ ୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ । ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସକାଳ ୮ଟା ରୁ ୧୨ଟା ଓ ଅପରାହ୍ନ ୩ ଟା ରୁ ୫ଟା ଖୋଲା ରହିବାକୁ ସୁନିଶ୍ଚିତ କରିବା, ଡାକ୍ତର ଓ ସମସ୍ତ କର୍ମଚାରୀ ଏହି ସମୟରେ ଉପସ୍ଥିତ ରହିବା ଓ ଆମ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଖୋଲିବା ଓ ବନ୍ଦ ହେବା ସମୟ ପ୍ରଦର୍ଶିତ କରିବା ପାଇଁ ସିଡ଼ିଏମଓ ଓ ଏଡ଼ିଏମଓ ଙ୍କୁ ଅନୁରୋଧ କରିଥିଲେ । ଆଜି ଅପରାହ୍ନରେ କେନ୍ଦ୍ରାପଡ଼ାର ଜିଲ୍ଲାପାଳ ମହୋଦୟଙ୍କୁ ମଧ୍୍ୟ ଯୋଗଯୋଗ କରି ଏହି ସମସ୍ତ ବିଷୟରେ ଅବଗତ କରାଇବା ସହ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ତୃଣମୂଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ସୁଧାର ଆଣିବା ପାଇଁ ଶ୍ରୀ ପରିଡ଼ା ଜିଲ୍ଲାପାଳ ମହୋଦୟଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.