ନିରାକାରପୁର, ୧୯/୦୧/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ହାତୀଙ୍କ ଉପଦ୍ରବରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଅଧୀନସ୍ଥ ବିଭିନ୍ନ ଅଂଚଳରେ ଲୋକେ ଅତିଷ୍ଠ ହେଲେଣି । ବନ ବିଭାଗର ବେଫିକର ମନୋଭାବ ଲୋକମାନଙ୍କ ଧନଜୀବନ ବିପଦକୁ ଠେଲି ଦେଇଛି । ମଣିଷ –ହାତୀର ଲଢେଇ ଦୀର୍ଘ ବର୍ଷ ହେବ ଏହି ଅଂଚଳରେ ଚାଲିଥିବାବେଳେ ହାତୀଙ୍କୁ ଘେଉଡ଼ାଇବା କାର୍ଯ୍ୟକ୍ରମ ଜାରି ରହିଛି । କିନ୍ତୁ ପୂରାପୁରି ସଫଳ ହେଉନି । ଏବେ ହାତୀ ଖାଦ୍ୟ ଅଭାବରୁ ସହରାଳକୁ ମୁହାଁଇଥିବାବେଳେ ବହୁ ବର୍ଷ ଧରି ନିରାକାରପୁର,ଖଜୁରୀପଡ଼ା ଓ ରାମେଶ୍ୱର ଜଙ୍ଗଲରେ ରହି ସନ୍ଧ୍ୟା ହେଲେ ବାହାରକୁ ବାହାରି ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଛନ୍ତି । ମୁତୟନ ବନ ବିଭାଗ କର୍ମଚାରୀ ବି ବେଳେ ନିଜର ଜୀବନ ରକ୍ଷା କରିବା ପାଇଁ ନିଜର କର୍ତବ୍ୟ ଭୁଲି ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳୁଛି । ରବିବାର ରାତି ସାଢେ ୮ଟାରେ ଖଜୁରୀପଡ଼ା ମୁସଲିମ ସାହିର ଇନା ଖାଁଙ୍କ ପତ୍ନୀ ସୌରନୀ ବିବି (୪୨) କୌଣସି କାର୍ଯ୍ୟରେ ବାଡ଼ିପଟୁକୁ ଯାଇଥିବାବେଳେ ଗୋଟିଏ ଦନ୍ତା ହାତୀ ଆସି ତାଙ୍କୁ ଶୁଣ୍ଢରେ ବୁଲାଇ କଚାଡ଼ି ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସୋମବାର ଉତ୍ୟକ୍ତ ଗ୍ରାମବାସୀ ଅପରାହ୍ନରେ ଶବ ବ୍ୟବଛେଦ ହୋଇ ଖୋର୍ଦ୍ଧରୁ ଆସିବା ପରେ ଖଜୁରୀପଡ଼ା ଛକରେ ପୁରୀ-ନୟାଗଡ଼ ନୂଆ ଜଗନ୍ନାଥ ସଡ଼କକୁ କ୍ଷତିପୂରଣ ଦାବି କରି ଅବରୋଧ କରି ରଖିଥିଲେ । ଘଟଣାସ୍ଥଳକୁ ନିରାକାରପୁର ପୋଲିସ ଆଇ୍ରଆଇସି ଭବାନୀ ଶଙ୍କର ଖୁଂଟିଆ, ବନ ବିଭାଗ ଏସିଏଫ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ ଟାଙ୍ଗୀ ରେଞ୍ଜର ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ବାବଦକୁ ମିଳିବାକୁ ଥିବା ୪ଲକ୍ଷ ଟଙ୍କାରୁ ମୃତକଙ୍କ ପରିବାର ଲୋକଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଆଉ ଅବଶିଷ୍ଟ ଟଙ୍କା ୭/୮ ଦିନ ମଧ୍ୟରେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହାତୀ ଚଳପ୍ରଚଳ କରୁଥିବା ଅଂଚଳରେ ତୁରନ୍ତ ଆଲୋକର ବ୍ୟବସ୍ଥା ଓ ହାତୀଙ୍କୁ ଘଉଡ଼ାଇବାକୁ ମଧ୍ୟ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ଓଡ଼ିଶା ସମାଚାର
Home / ବିଶେଷ / ହାତୀ ଆକ୍ରମଣରେ ମୃତ୍ୟୁ ଘଟଣା – କ୍ଷତିପୂରଣ ଦାବି ରେ ଜଗନ୍ନାଥ ସଡ଼କ ଅବରୋଧ କଲେ ଉତ୍ୟକ୍ତ ଗ୍ରାମବାସୀ: ପ୍ରତିଶ୍ରୁତି ପରେ ଉଠିଲେ