Wednesday , March 29 2023
Home / କୃଷି / କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ କାଳିମୁଣ୍ଡି ପ୍ରାଦୁର୍ଭାବ କ୍ଷେତ୍ର ଅନୁଧ୍ୟାନ   

କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ କାଳିମୁଣ୍ଡି ପ୍ରାଦୁର୍ଭାବ କ୍ଷେତ୍ର ଅନୁଧ୍ୟାନ   

ଗରଦପୁର, ୧୯/୦୧/୨୦୨୧(ଓଡ଼ିଶା ସମାଚାର)-  ଗରଦପୁର ତହସିଲ ନିକଟସ୍ଥ ପେଟୁଆ ପାଟରେ କାଳିମୁଣ୍ଡି ପୋକର ଉପଦ୍ରବ ଗତ ଏକ ସପ୍ତାହ ହେଲା ଲାଗି ରହିଛି । ସେଠାରେ ଥିବା ୫ ଶହ ଏକର ଚାଷ ଜମିରେ ଫୁଲ ଉଡ଼ାଉଥିବା ଚିନାବାଦମ ଫସଲକୁ କାଳିମୁଣ୍ଡି ସମ୍ପୂର୍ଣ୍ଣ ଚରିଯିବା ସହିତ ଏବେ ନିକଟରେ ଥିବା ଆଳୁ , ବିରି ଓ ମୁଗ ଫସଲରେ କାଳିମୁଣ୍ଡି ଙ୍କ ଉପଦ୍ରବ ଆରମ୍ଭ ହୋଇ ଯାଇଛି । କାଳିମୁଣ୍ଡିକୁ ଦମନ କରିବା ପାଇଁ ଚାଷୀଙ୍କୁ ବୈଷୟିକ ପରାମର୍ଶ ଦେବା ପାଇଁ କୃଷି ବିଭାଗ ତତ୍ପର ହୋଇ ଉଠିଛି । ଗତ ୩ ଦିନ ଧରି ବ୍ଲକ୍ ଠାରୁ ଜିଲା ପର୍ଯ୍ୟନ୍ତ କୃଷି ଅଧିକାରୀ ମାନଙ୍କର ଘଟଣାସ୍ଥଳକୁ ପରିଦର୍ଶନ ହୋଇଥିଲା ।  ଆଜି କୃଷି ବିଭାଗର ଉଚ ପଦାଧିକାରୀମାନଙ୍କର ସ୍ୱତନ୍ତ୍ର ଟିମ ଆସି ଗରଦପୁର ବ୍ଲକ୍ କାଳିମୁଣ୍ଡି କ୍ଷତିଗ୍ରସ୍ତ ଅଂଚଳ ପେଟୁଆ ପାଟରେ ପହଂଚିଥିଲେ । ଏହି ଟିମ ରେ କୃଷି ବିଭାଗର ଡ଼େପୁଟି ସେକ୍ରେଟାରୀ ପ୍ରାଚୀ ମହାପାତ୍ର, ଆସିଷ୍ଟାଂଟ ଡ଼ାଇରେକ୍ଟର ପ୍ଲାଂଟ ପ୍ରୋଟେକସନ୍ ଡ଼ ନନ୍ଦିନୀ ଦଳାଇ , ଜଏନ୍ଟ ଡ଼ାଇରେକ୍ଟର ପ୍ଲାଂଟ ପୋ୍ରଟେକସନ୍ ଭାସ୍କର ବାରିକ, କେନ୍ଦ୍ରାପଡା ଜିଲା  ମୂଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାସୁଆର ,କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ସୂର୍ଯ୍ୟ ପ୍ରକାଶ ମିଶ୍ର , ବୈଜ୍ଞାନିକ ତାପସ ରଂଜନ ସାହୁ, ଆସିଷ୍ଟାଂଟ ଡ଼ାଇରକ୍ଟର ସଏଲ କନଜରଭେସନ୍ ଡ଼ ଦୟାନିଧି ବାଗ  , ଆଗ୍ରୋ ଇଣ୍ଡଷ୍ଟ୍ରିଜ ର ପରିଚାଳନା ନିର୍ଦ୍ଧେଶକ ସତ୍ୟବ୍ରତ ସାହୁ , କେନ୍ଦ୍ରାପଡ଼ା ଆତ୍ମା ପ୍ରକଳ୍ପ ନିର୍ଦ୍ଧେଶକ ସେକ ଏହେସାନ୍ ,ଏଏଫଟିଓ ଶ୍ରୀରାମ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ । ସେମାନଙ୍କୁ ଗରଦପୁର କୃଷି ବିଭାଗର ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରିୟବ୍ରତ ଜେନା  ଓ ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ ଘଟଣାସ୍ଥଳ ପରିଦର୍ଶନ କରାଇବାରେ ସହାୟତା କରିଥିଲେ । ଏହି ଟିମ ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ଟିମ୍ ପେଟୁଆ ପାଟ ଓ ଅଡ଼୍ୟ ଏକ ଟିମ୍ ଏହି ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଓ ବେଡ଼ାରୀ ପଂଚାୟତର  ବାଦାମ ଫସଲ ଦେଖିବାକୁ ଯାଇଥିଲେ । ପେଟୁଆ ପାଟରେ ବହୁ ସଂଖ୍ୟାରେ ଚାଷୀ ସେମାନଙ୍କୁ ଭେଟି କାଳିମୁଣ୍ଡି ଉପଦ୍ରବ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ବାଦମ ଚାଷୀ ପାଖଡ଼ ଗ୍ରାମର ଅଶୋକ କୁମାର ଦେବତା , ଅଭୟ କର , ଗରଦପୁର ଗ୍ରାମର ପ୍ରଦୀପ୍ତ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରମେଶ ଚନ୍ଦ୍ର ପଣ୍ଡା,କୈଳାଶ ଚନ୍ଦ୍ର ପଣ୍ଡା, ବରହମପୁର ଗ୍ରାମର ଅକ୍ଷୟ ପ୍ରଧାନ,ଦେବେନ୍ଦ୍ର ମଳିକ,ସୁରେନ୍ଦ୍ର ନାୟକ,ପ୍ରଫୁଲ ନାୟକ,ପରିକ୍ଷୀତ ପ୍ରଧାନ,ବଂଶିଧର ମିଶ୍ର,କୈଳାଶ ରଣା,ଦାମୋଦର ପଣ୍ଡା,ଅରୁଣ କୁମାର ପଣ୍ଡା,ସୁରେଶ କୁମାର ପଣ୍ଡା ପ୍ରମୁଖ ଚାଷୀମାନେ ଏହି ସ୍ୱତନ୍ତ୍ର ଟିମ କୁ ପେଟୁଆ ପାଟର ଶହ ଶହ ଏକର କ୍ଷତିଗ୍ରସ୍ତ ବାଦାମ ଫସଲ ସହିତ ଆଳୁ, ବିରି ଓ ମୁଗ ଫସଲ ଜମି ଦେଖାଇଥିଲେ । ବାଦମ ଗଛ ଉପରେ , ମୂଳରେ ଓ ମାଟି ତଳେ କାଳିମୁଣ୍ଡି ପୋକକୁ ଗଛ ଉପାଡ଼ି ଚାଷୀମାନେ ଅଧିକାରୀମାନଙ୍କୁ ଦେଖାଇଥିଲେ ।  ସେହିପରି ପଦ୍ମପୁର ପଂଚାୟତ ଓ ବେଡ଼ାରୀ ପଂଚାୟତ ର ବାଦାମ ଚାଷ ଜମିକୁ ମଧ୍ୟ ତନଖି କରିଥିଲେ ।  ଏଥିରେ   କ୍ଷତିଗ୍ରସ୍ତ ହୋଇଥିବାଚାଷୀମାନଙ୍କୁ କିଭଳି ସହାୟତା କରାଯାଇ ପାରିବ ସେ ସମ୍ପର୍କରେ ଉଚ କର୍ତୃପକ୍ଷଙ୍କ ସହ ପ୍ରଶାସନିକ ସ୍ତରରେ ଆଲୋଚନା କରାଯିବ ବୋଲି ଏହି ସ୍ୱତନ୍ତ୍ର ଟିମ ସୂଚନା ପ୍ରଦାନ କରିଥିଲେ । ଅଧିକ ଅଂଚଳକୁ ଯେପରି ଏହି କାଳିମୁଣ୍ଡି ପୋକର ପ୍ରାଦୁର୍ଭାବ ନବଢ଼ିବ , ସେଥିପାଇଁ କୀଟନାଶକ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଡ଼େପୁଟି ସେକ୍ରେଟାରୀ ପ୍ରାଚୀ ମହାପାତ୍ର ସୂଚନା ଦେଇଥିଲେ । ଚାଷ ଜମିରେ ଲାଗିଥିବା କାଳିମୁଣ୍ଡି ପୋକ ହେଉଛି ପତ୍ରଖିଆ ପୋକ ବା (ଟବାକୋ ଲିଫ୍ ଇଟିଙ୍ଗ୍ କ୍ୟାଟରଫିଲର) ବୋଲି ବିଶେଷଜ୍ଞ ଟିମ୍ କହିବା ସହିତ ଏହି ପୋକକୁ ଦମନ କରିବା ପାଇଁ କ୍ଲୋର୍ ଫାଇଡ୍ ଫସ୍,ଡାଇଙ୍ଗ୍ ବେଞ୍ଜୁରନ୍ ଓ ପ୍ରୋଫେନ୍ ପ୍ଲସ୍ ନାମକ କୀଟନାଶକ  ଔଷଧ ଚିନାବାଦାମ ଗଛରେ ସ୍ପ୍ରେ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଷ ଥୋପ ମାଧ୍ୟମରେ ମଧ୍ୟ ଏହି ରୋଗ ପୋକକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବିଶେଷଜ୍ଞ ଟିମ କହିବା ସହିତ ଫ୍ଲୁବେନ୍ ଡିଆ ମାଇଡ ଓ ମେଥୋମାଇଲ ନାମକ କୀଟନାଶକ ଔଷଧ ବ୍ୟବହାର କରିବା ପାଇଁ ରାଜ୍ୟ ସ୍ତରୀୟ ଟିମ୍ ଚାଷୀମାନଙ୍କୁ ପରାମର୍ଶ ଦେଇଥିବା ସମ୍ପର୍କରେ ଗରଦପୁର ବ୍ଲକ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି । ଏହି କୀଟନାଶକ ଔଷଧ ଚାଷୀମାନଙ୍କୁ ରିହାତି ଦାମ୍ରେ ମିଳି ପାରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।   ଓଡ଼ିଶା ସମାଚାର

Leave a Reply

Your email address will not be published.