ପୁରୀ, ୧୭/୦୧/୨୦୨୧(ଓଡ଼ିଶା ସମାଚାର)-ଜାନୁଆରୀ ୧୮ତାରିଖରୁ ଆରମ୍ଭ ହେଉଛି ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୧ । ଫେବୃଆରୀ ୧୭ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଜିଲ୍ଲାରେ ସଡ଼କ ସୁରକ୍ଷା ମାସ ପାଳନ ପାଇଁ ସ୍ୱତନ୍ତ୍ର ସର୍କିଟ ହାଉସ୍ ର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଆସନ୍ତା ୧୮ତାରିଖ ସକାଳ ୮ଟା ୩୦ମିନିଟ୍ ସମୟରେ ଗୁଣ୍ଡିଚା ମନ୍ଦିରଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଭିଆଇପି ରୋଡ୍ ଦେଇ ଦିଗବାରେଣୀ ନିକଟରେ ପହଂଚିବ । ଏଥିସହିତ ଜିଲ୍ଲାପାଳ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିବେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା ପୂର୍ବକ ସଡ଼କ ସୁରକ୍ଷା ବାର୍ତା ପ୍ରଦାନ କରିବ । ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ବ୍ଲକରେ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ୧୯ତାରିଖ ଦିନ ବସ ମାଲିକ ସଂଘ ପକ୍ଷରୁ ବସଷ୍ଟାଣ୍ଡରେ ଗାଡ଼ିଚାଳକମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବ । ଆସନ୍ତା ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୱାଲ ପେଂଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୪ତାରିଖ ସକାଳେ ଗାନ୍ଧୀଘାଟ ନିକଟରେ ପଥପ୍ରାନ୍ତ ନାଟକ, ନାଗା ଓ ମେଢ଼ ନୃତ୍ୟ, ଗୋଟିପୁଅ ନାଚ ପ୍ରଦର୍ଶିତ ହେବା ସହ ଦସ୍ତଖତ ସଂଗ୍ରହ ଅଭିଯାନ କରାଯିବ । ସଡ଼କ ସୁରକ୍ଷା ନିୟମ ପାଳନ କରୁଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯିବ । ସଡ଼କ ସୁରକ୍ଷା ସମ୍ପର୍କିତ ହୋର୍ଡିଂ ଲଗାଯିବା ସେଙ୍ଗ ସେଙ୍ଗ ପ୍ରଚାରପତ୍ର ବଂଟନ ପୂର୍ବକ ସଚେତନତା ସୃଷ୍ଟି କରାଯିବ । ଦିଗବାରେଣୀ ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ୨୦ଟି ସଡ଼କ ସଚେତନତା କିଓସ୍କୋ ପ୍ରଦର୍ଶିତ ହେବ । ଏହାଛଡ଼ା ପୁଲିସ ସହିତ ମିଳିତ ଭାବେ ଯାଂଚ କରାଯାଇ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ । ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ନୀତି ରଞ୍ଜନ ସେନ, ଆଂଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଉପଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥୀ, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ସହାୟକ ମୋଟରଯାନ ନିରୀକ୍ଷକ ବାମଦେବ ସାହୁ, ଟ୍ରାଫିକ ସବଇନ୍ସପେକ୍ଟର ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର